ଯାଜପୁର: ଯାଜପୁର ସବ୍‌-କଲେକ୍ଟରଙ୍କ କାର୍ଯ୍ୟାଳୟରେ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରନ୍ତି ପ୍ରସନ୍ନ କୁମାର ସାହାଣୀ । ଜଣେ ବ୍ୟକ୍ତିଙ୍କଠାରୁ ସେ ୪୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଖବର ମୁତାବକ, ବ୍ୟକ୍ତି ଜଣକ ୧୬ ଡିସିମିଲର ଏକ ଜମି କିଣିବାକୁ ଚାହୁଁଥିଲେ । କିନ୍ତୁ ସେହି ଜମିର ମାଲିକ ହେଉଛନ୍ତି ଅନୁସୂଚିତ ଜାତି ବର୍ଗର। ସରକାରଙ୍କ ନିୟମ ଅନୁସାରେ ଅନୁସୂଚିତ ଜାତି ଅବା ଜନଜାତିର ଲୋକଙ୍କଠାରୁ ଜମି କିଣିବାକୁ ହେଲେ ପ୍ରଶାସନଠାରୁ ଅନୁମତି ନେବାକୁ ପଡ଼ିବ। ସେହି ନିୟମ ଅନୁଯାୟୀ ଅନୁମତି ପ୍ରଦାନ କରିବାକୁ ସେହି ବ୍ୟକ୍ତି ଜଣଙ୍କ ଯାଜପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଗତ ବର୍ଷ ନଭେମ୍ବର ୨୯ ତାରିଖରେ ସେ ଆବେଦନ କରିଥିଲେ। କିନ୍ତୁ କନିଷ୍ଠ ରାଜସ୍ୱ ସହାୟକ ପ୍ରସନ୍ନ କୁମାର ସାହାଣି ତାଙ୍କୁ ଅନୁମତି ପ୍ରଦାନ କରିବା ପାଇଁ ରହିଥିବା ପ୍ରକ୍ରିୟାକୁ ଜାଣିଶୁଣି ବିଳମ୍ବ କରୁଥିଲେ। କାରଣ ସେ ଆବେଦନକାରୀଙ୍କଠାରୁ ଲାଞ୍ଚ ଚାହୁଁଥିଲେ। କନିଷ୍ଠ ରାଜସ୍ୱ ସହାୟକ ପ୍ରସନ୍ନ କୁମାର ସାହାଣି ଆବେଦନକାରୀଙ୍କୁ ୪୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆବେଦକାରୀ ୧୬ ଡିସିମିଲ ଜାଗା କ୍ରୟ କରିବାକୁ ଚାହୁଁଥିବା ବେଳେ ଶ୍ରୀ ସାହାଣି ତାଙ୍କୁ ଡିସିମିଲ ପିଛା ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆବେଦନକାରୀ ଏତେ ଟଙ୍କା ଦେଇପାରିବେନି ବୋଲି କହିଥିଲେ। ତେଣୁ ଶ୍ରୀ ସାହାଣି ୪୦ ହଜାର ଟଙ୍କାକୁ ଖସିଥିଲେ। ଜଣେ ସରକାରୀ କର୍ମଚାରୀଙ୍କ ଏଭଳି ଆଭିମୁଖ୍ୟ ଦେଖି ବ୍ୟକ୍ତି ଜଣକ ଘଟଣା ସଂପର୍କରେ ଭିଜିଲାନ୍ସକୁ କହିଥିଲେ। ଯୋଜନା ପ୍ରକାରେ ଆଜି ଆବେଦନକାରୀ କନିଷ୍ଠ ରାଜସ୍ୱ ସହାୟକ ପ୍ରସନ୍ନ କୁମାର ସାହାଣିଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଭେଟି ୪୦ ହଜାର ଟଙ୍କା ଦେଇଥିଲେ। ଏହା ପରେ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ସାହାଣିଙ୍କୁ ଧରିଥିଲେ । କଟକ ଭିଜିଲାନ୍ସ ଥାନାରେ କେସ୍‌ ନମ୍ବର ୩୭/୨୦୨୬ ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

LEAVE A REPLY

Please enter your comment!
Please enter your name here