ମଙ୍ଗଳବାର ଭୋର୍ ସାଢେ ତିନିଟରେ ଏଲଓସି ପାରି କଲା ଭାରତୀୟ ବାୟୁ ସେନାର ଡଜନେ ମିରେଜ 2000 ଫାଇଟର୍ ଜେଟ୍. ଆଉ ଅଳ୍ପ କେଇ ମିନିଟ ଭିତରେ ପାକ୍ ଅଧିକୃତ ବାଲାକୋଟ ଅଞ୍ଚଳରେ ଥିବା ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଦେଲା ବାୟୁସେନା. ଏକ ହଜାର କେଜି ଲେଜର ଗାଇଡେଡ ବୋମା ବିସ୍ଫୋରଣରେ 300ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି ଭାରତୀୟ ସେନା ପକ୍ଷରୁ କୁହାଯାଇଛି. ତେବେ ଭାରତୀୟ ବାୟୁସେନାର ଏହି ଆକ୍ରମଣର ଜବାବ ପାକିସ୍ତାନ ଦେବ ବୋଲି କହିଛି. ଭାରତ ଏଲଓସି ଅତିକ୍ରମ କରି ନିୟମ ଉଲ୍ଲଂଘନ କରିଛି ବୋଲି ପାକ୍ ପକ୍ଷରୁ କୁହାଯାଇଛି. ଭାରତର ଏହି ଆକ୍ରମଣ ପରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ତୁରନ୍ତ ଉଚ୍ଚସ୍ତରୀୟ ବୈଠକ ଡାକି ପରିସ୍ଥିତି ସମୀକ୍ଷା କରିଛନ୍ତି. ପାକ ବୈଦେଶିକ ମନ୍ତ୍ରୀ କ୍ୟୁରେସୀ କହିଛନ୍ତି, ଠିକଣା ସମୟରେ ପାକ୍ ସେନା ଜବାବ ଦେବ. ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ରେହମନ କହିଛନ୍ତି, ଭାରତରେ ଆଗକୁ ନିର୍ବାଚନ ଆସୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ଆଉ କିଛି ବିକଳ୍ପ ନ ଥିଲା. ନିର୍ବାଚନ ଜିତିବା ପାଇଁ ଏଲଓସି ରେ ଏଭଳି ଆକ୍ରମଣ କରାଯାଇଛି. ପାକ୍ ପ୍ରଧାନମନ୍ତ୍ରୀ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ଭାରତର ଆକ୍ରମଣର ଜବାବ ଦେବାକୁ ପାକିସ୍ତାନ ବିଚାର ବିମର୍ଷ ଆରମ୍ଭ କରିଛି. ତେବେ ଭାରତର ବାୟୁସେନା ଆକ୍ରମଣରେ କିଛି କ୍ଷୟକ୍ଷତି ହୋଇନାହିଁ ବୋଲି ପାକିସ୍ତାନ ପକ୍ଷରୁ ଦାବି କରାଯାଇଛି.