ଓଡ଼ିଶା ବିଧାନସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ସାଇନ୍-ଡାଇ ଘୋଷଣା କରାଯାଇଛି। ନିର୍ଦ୍ଧାରିତ ସମୟରୁ ୫ ଦିନ ପୂର୍ବରୁ ଏହାର ଅଧିବେଶନ ଶେଷ କରାଯାଇଛି। ୧୭ତମ ବିଧାନସଭାର ଷଷ୍ଠ ଅଧିବେଶନ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବାକୁ ଥିଲା। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଅଧିବେଶନରେ ମୋଟ ୨୮ଟି କାର୍ଯ୍ୟଦିନ ରହିଥିଲା । ଏଥର ଗୃହରେ ବିପକ୍ଷ ଦଳଙ୍କ ପକ୍ଷରୁ ୫ଟି ଅଜର୍ଣ୍ଣମେଣ୍ଟ ମୋଶନ୍ ଉପରେ ଆଲୋଚନା ହୋଇଥିଲା ଓ ୨ଟି ସରକାରୀ ବିଲ୍ ପାସ୍ କରାଯାଇଛି। ଦୀର୍ଘ ୯ ଦିନ ଧରି ଅଚଳାବସ୍ଥା ଲାଗି ରହିବା ପରେ ଗତକାଲି ବିଳମ୍ବିତ ରାତ୍ରୀ ପର୍ୟ୍ୟନ୍ତ ଚାଲିଥିଲା ବିଧାନସଭା। ଶେଷ ପର୍ଯ୍ୟାୟରେ ପ୍ରାୟ ୪ ଘଣ୍ଟା ଆଲୋଚନା ପରେ ପାରିତ ହୋଇଥିଲା ଓଡିଶା ରାଜ୍ୟ ସରକାରୀ ବିଶ୍ଵବିଦ୍ୟାଳୟ ବିଲ ୨୦୨୬। ରାତି ଯାଏ କ୍ଲଜୱାରୀ ଆଲୋଚନା ପରେ ଏହି ବିଲ୍ ଗୃହରେ ପାରିତ ହୋଇଥିଲା। ଶେଷ ଦିନରେ ଗୃହ ଆପ୍ରୋପ୍ରିଏସନ୍ ବିଲ୍ ପାସ୍ କରି ୨୦୨୬-୨୭ ଅର୍ଥବର୍ଷ ପାଇଁ ୩.୧୦ ଲକ୍ଷ କୋଟି ଟଙ୍କା ବ୍ୟୟ କରିବାକୁ ସରକାରକୁ ଅନୁମତି ଦିଆଯାଇଛି ଏବଂ ବିଧାୟକ, ମନ୍ତ୍ରୀ, ବାଚସ୍ପତି ଓ ଉପ ବାଚସ୍ପତିଙ୍କ ଦରମା, ଭତ୍ତା ଓ ପେନସନ ସଂଶୋଧନ ବିଲ୍ ୨୦୨୫କୁ ମଧ୍ୟ ପ୍ରତ୍ୟାହୃତ କରାଯାଇଥିଲା। ଏଥର ଗୃହରେ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ୍ ପକ୍ଷରୁ ଲଗାତାର ହଙ୍ଗାମା ଦେଖିବାକୁ ମିଳିଥିଲା। ପ୍ରଥମରୁ ଧାନ କ୍ରୟରେ ଅନିୟମିତତା ନେଇ ପ୍ରଶ୍ନ ଉଠାଇଥିଲେ। ଏହାପରେ କଟକ ଏସ୍ସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡ, ଯେଉଁଥିରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା, ଏହାକୁ ନେଇ ବିପକ୍ଷର ତୀବ୍ର ପ୍ରତିବାଦ ହୋଇଥିଲା।ଏସ୍ସିବି ଅଗ୍ନିକାଣ୍ଡ ଘଟଣାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେଡି ଓ କଂଗ୍ରେସ୍ ଅଟଳ ରହିଥିଲେ। ଏହାପରେ ବିଜୁ ପଟ୍ଟନାୟକଙ୍କୁ ନେଇ ନିଶିକାନ୍ତ ଦୁବେଙ୍କ ମତକୁ ବିରୋଧ କରି ବିଧାନସଭାରେ ହଙ୍ଗାମା ହୋଇଥିଲା। ଏହି ସବୁ ପ୍ରସଙ୍ଗକୁ ନେଇ ବିପକ୍ଷ ଦଳର ଲଗାତାର ପ୍ରତିବାଦ ଫଳରେ ଗୃହ କାର୍ଯ୍ୟ ଅନିର୍ଦ୍ଦିଷ୍ଟ ସମୟ ପାଇଁ ମୁଲତବୀ କରାଯାଇଛି।













