ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଶୁଭକାମନା ଜଣାଇଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ କହିଛନ୍ତି ଯେ, ଓଡ଼ିଶାର ଗୌରବଶାଳୀ ଇତିହାସ ଏବଂ ଓଡ଼ିଆ ସଂସ୍କୃତିକୁ ଏକ ସଭ୍ୟତାଗତ ଐତିହ୍ୟ ଭାବେ ବର୍ଣ୍ଣନା କରିଥିବାରୁ ଆମେ ଗର୍ବିତ । ଓଡ଼ିଶା ସହିତ ଆପଣଙ୍କର ଦୀର୍ଘ ଦିନର ସମ୍ପର୍କ, ବିଶେଷକରି ଗୁଜରାଟ ଓ ଓଡ଼ିଶା ମଧ୍ୟରେ ଥିବା ସୂର୍ଯ୍ୟ ମନ୍ଦିର ଏବଂ ରଥଯାତ୍ରାର ସମାନତା ବିଷୟରେ ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚାରଣ ଆମକୁ ଅଭିଭୂତ କରିଛି । ଅହମ୍ମଦାବାଦ ରଥଯାତ୍ରାରେ ଆପଣ କରିଥିବା ପହଣ୍ଡି ବିଧିର ଅନୁଭୂତି ଆମ ସାଂସ୍କୃତିକ ଏକତାକୁ ପ୍ରତିଫଳିତ କରୁଛି । ଓଡ଼ିଶାର ପ୍ରଗତି ପାଇଁ ଆପଣଙ୍କ ନେତୃତ୍ବରେ କେନ୍ଦ୍ର ସରକାରଙ୍କ ଅକୁଣ୍ଠ ସମର୍ଥନ ପ୍ରଶଂସନୀୟ । ୨୦୨୫-୨୬ ବର୍ଷ ପାଇଁ ରେଳବାଇ କ୍ଷେତ୍ରରେ ୧୦,୬୦୦ କୋଟି ଟଙ୍କାର ରେକର୍ଡ ପାଣ୍ଠି ଆବଣ୍ଟନ ଏବଂ ବନ୍ଦର ଭିତ୍ତିକ ବିକାଶ ଓଡ଼ିଶାକୁ ଏକ ପ୍ରମୁଖ ସାମୁଦ୍ରିକ ଓ ଶିଳ୍ପଭିତ୍ତିକ ରାଜ୍ୟରେ ପରିଣତ କରିବ । ଏହା ସହିତ, ସୁଭଦ୍ରା ଯୋଜନା ଦ୍ବାରା ୧ କୋଟିରୁ ଅଧିକ ମହିଳାଙ୍କ ସଶକ୍ତିକରଣ ଏବଂ ଲକ୍ଷପତି ଦିଦି ସୃଷ୍ଟି କରିବା ଦିଗରେ ଆମ ସରକାରଙ୍କ ପ୍ରୟାସକୁ ଆପଣଙ୍କ ପ୍ରଶଂସା ଆମର ନାରୀ ଶକ୍ତିକୁ ଆହୁରି ଉତ୍ସାହିତ କରିବ। ଓଡ଼ିଶା ଏକ ସ୍ବତନ୍ତ୍ର ରାଜ୍ୟ ହେବାର ୧୦୦ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ, ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ଗଠନ କରିବା ନେଇ ଆପଣଙ୍କ ସଂକଳ୍ପକୁ ପୂରଣ କରିବା ପାଇଁ ଆମେ ସାମୂହିକ ଭାବେ ଚେଷ୍ଟା ଜାରି ରଖିବୁ । ଓଡ଼ିଆ ଅସ୍ମିତା ଏବଂ ଭାଷା, ସଂସ୍କୃତିର ସଂରକ୍ଷଣ ପାଇଁ ଆମ ସରକାର ସଦା ସର୍ବଦା ସଂକଳ୍ପବଦ୍ଧ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶା ସମୃଦ୍ଧିର ନୂତନ ମାଇଲଖୁଣ୍ଟ ହାସଲ କରିବ, ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here