ଭୁବନେଶ୍ୱର: ଲୋକସେବା ଭବନସ୍ଥିତ କନଭେନସନ୍ ସେଣ୍ଟର ଅଡିଟୋରିୟମ୍ ରେ ‘ଓଡ଼ିଶା ଅର୍ବାନ୍ କନକ୍ଲେଭ-୨୦୨୬’ ଅନୁଷ୍ଠିତ ହୋଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଏହି ସମୀକ୍ଷା ଓ ଦିଗଦର୍ଶନ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର କାର୍ଯ୍ୟଧାରା ସମୀକ୍ଷା କରାଯିବା ସହ ଭବିଷ୍ୟତର ପ୍ରାଥମିକତା ଉପରେ ଆଲୋଚନା ହୋଇଛି।ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ବିଶେଷଜ୍ଞଙ୍କ ସହଯୋଗରେ ଡ୍ରେନେଜ୍ ବ୍ୟବସ୍ଥାର ସୁଧାର ଓ ଜଳର ପୁନଃବ୍ୟବହାର ଉପରେ କାର୍ଯ୍ୟ କରାଯାଉଛି। ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ ଓ PMAY 2.0 ଅଧୀନରେ ଗରିବ ଏବଂ ଭୂମିହୀନଙ୍କ ପାଇଁ ଗୃହ ନିର୍ମାଣ, ଟାଉନ୍ ପ୍ଲାନିଂ ସ୍କିମ୍ ଓ ୨୪/୭ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ତ୍ୱରାନ୍ୱିତ କରାଯାଉଛି।ଏହି ଅଧିବେଶନରେ ଭିତ୍ତିଭୂମି ବିକାଶ, ସମୃଦ୍ଧ ସହରର ଯୋଜନା ଓ କାର୍ଯ୍ୟଦକ୍ଷତା ଉପରେ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ବିଭାଗ ପକ୍ଷରୁ ଉପସ୍ଥାପନ କରିଥିଲେ | କନକ୍ଲେଭରେ ସହରୀ ଭିତ୍ତିଭୂମି, ବଜେଟ୍ ଓ ଆର୍ଥିକ ପରିଚାଳନା, ରାଜସ୍ୱ ବୃଦ୍ଧି, ବ୍ୟୟ ବିଶ୍ଳେଷଣ ଏବଂ କମ୍ ପ୍ରଦର୍ଶନ କରୁଥିବା ପୌରସଂସ୍ଥାଗୁଡ଼ିକର କାର୍ଯ୍ୟ ସମୀକ୍ଷା କରାଯାଇଥିଲା। ଟାୟାର-୨ ଓ ଟାୟାର-୩ ସହର ପାଇଁ ଟାଉନ୍ ପ୍ଲାନିଂ, ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ ଓ ଭିତ୍ତିଭୂମି ବିକାଶ ଉପରେ ମଧ୍ୟ ଆଲୋଚନା ହୋଇଛି।ଏଥିସହ ପଥଚାରୀ ଅନୁକୂଳ ରାସ୍ତା, କ୍ରୁଟ୍ ଅଧୀନରେ ‘ଆମ ବସ୍’ ସେବାର ସମ୍ପ୍ରସାରଣ, AMRUT 2.0 ଅଧୀନରେ ଜଳାଶୟ ପୁନରୁଦ୍ଧାର, ବନ୍ୟା ନିୟନ୍ତ୍ରଣ ଓ ଉତ୍ତମ ଗଣପରିବହନ ଉପରେ ଗୁରୁତ୍ୱ ଦିଆଯାଇଛି। PM ସ୍ୱନିଧି, ସହରୀ ଗୃହହୀନଙ୍କ ପାଇଁ ଆଶ୍ରୟସ୍ଥଳ ଓ ଆହାର ଭଳି ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମର ମଧ୍ୟ ସମୀକ୍ଷା ହୋଇଛି l

LEAVE A REPLY

Please enter your comment!
Please enter your name here