ବାଜା ବାଜଣାରେ କମ୍ପି ଉଠୁଛି ଗାଁ ଦାଣ୍ଡ । ଧାଡିକି ଧାଡି ମହିଳା ମୁଣ୍ଡରେ କଳସ ଧରି ଚାଲିଛନ୍ତି ଅସ୍ଥାୟୀ ପୂଜା ମଣ୍ଡପକୁ । ମଣ୍ଡପରେ ଚାଲିଛି ପୂଜା ସାଙ୍ଗକୁ ପାରମ୍ପରିକ ନାଚ ଗୀତ । କେଉଁଠି ପୂଜାରୀ ଦେବୀଙ୍କ ଖଣ୍ଡା ଧରି ନାଚୁଛନ୍ତି ତ ଆଉ କେଉଁଠି ମହିଳାମାନେ ନିଜ କନ୍ୟା ସନ୍ତାନଙ୍କୁ ପିଠିରେ ବସାଇ ନୃତ୍ୟ କରୁଛନ୍ତି । ରାୟଗଡା ଗୌଡ ଲେଲିବାଡି ଗାଁରେ ମଗଦା ଗଉଡଙ୍କର ଚାଲିଛି ନିଆରା ପର୍ବ କୁଣ୍ଡାବର । ଏହି ଅବସରରେ ବନ୍ଧୁ ବାନ୍ଧବଙ୍କ ସହିତ ଆଖପାଖ ଗାଁର ଗଉଡ ସମ୍ପଦ୍ରାୟର ଲୋକେ ସାମିଲ ହୋଇଛନ୍ତି । ପରମ୍ପରା ଅନୁଯାୟୀ କୁଆଁରି ଝିଅମାନଙ୍କୁ ବୋହୂ ବେଶରେ ସଜାଇ ବନ୍ଦାପନା କରାଯିବା ସହିତ ଅଶ୍ୱସ୍ଥ ଗଛ ସହ ବିବାହ କରାଯାଇଥାଏ । ଯାହାକୁ କୁଣ୍ଡାବର ପର୍ବ ବୋଲି କୁହାଯାଏ । କୁଣ୍ଡାବର କରିବା ପୂର୍ବରୁ ଯଦି କନ୍ୟା ଗୃହ ଯୋଗ୍ୟା ହୋଇଯାଏ ତେବେ ତାର ମୁହଁ ନଚାହିଁ ଜଙ୍ଗଲରେ ଛାଡି ଦେବାର ପରମ୍ପରା ରହିଛି । ଗାଁ ଲୋକେ ମିଶି ଦିନ ଧାର୍ଯ୍ୟ କଲାପରେ ତିନି ଦିନ ଧରି ଏହି ପର୍ବ ପାଳିତ ହୋଇଥାଏ । ପ୍ରଥମ ଦିନ ଗାଁର ଠାକୁର ଠାକୁରାଣୀଙ୍କୁ ଗାଁ ମଝିରେ ଏକ ଅସ୍ଥାୟୀ ମଣ୍ଡପରେ ସ୍ଥାପନା କରି ପୂଜାର୍ଚ୍ଚନା କରିବା ସହିତ ମାନସିକ ଘଟ ସ୍ଥାପନା କରିଥାନ୍ତି । ଦ୍ୱିତୀୟ ଦିନ ସେଠାରେ କୁଆଁରୀ କନ୍ୟାଙ୍କୁ ବୋହୁ ବେଶରେ ସଜାଇ ଅସ୍ୱସ୍ଥ ଗଛ ସହ ବନ୍ଦାପନା କରାଇଥାନ୍ତି । ଶେଷ ଦିନରେ କନ୍ୟା ମାତାମାନେ ମାନସିକ ଘଟକୁ ନେଇ ବିସର୍ଜନ କରିବା ପରେ କୁଣ୍ଡାବର ପର୍ବ ସମାପ୍ତ ହୋଇଥାଏ । ତେବେ ଏହି ପର୍ବ ପାଳନ ପଛରେ କୌଣସି ସାସ୍ତ୍ରୀୟ ବିଧି ନଥିବାବେଳେ ଲୋକାଚାରରେ ଚାଲି ଆସୁଛି । ଏହି ପର୍ବରେ କନ୍ୟାର ଅଶୁଭ ଲକ୍ଷଣ କଟିବା ପାଇଁ ପୂଜାର୍ଚ୍ଚନା ହେଉଥିବା କହିଛନ୍ତି ସଂସ୍କୃତି ବିଶେଷଗ୍ୟ । ଯୁଗ ବଦଳୁଥିଲେ ମଧ୍ୟ ନିଜ ପରମ୍ପରାକୁ ଭୂଲି ପାରିନାହାଁନ୍ତି ଏହି ସମ୍ପଦ୍ରାୟର ଲୋକ । ଏହି କୁଣ୍ଡାବର ପର୍ବ ପାଳନ କଲେ କୁଆଁରୀ କନ୍ୟାଙ୍କର ମୁକ୍ତି ମିଳେ ବୋଲି ସେମାନଙ୍କର ବିଶ୍ୱାସ ।

LEAVE A REPLY

Please enter your comment!
Please enter your name here