କେନ୍ଦ୍ରାପଡ଼ା ଜିଲ୍ଲା ବଡ଼କୋଲହା ଗ୍ରାମର ନିଖୋଜ ଥିବା ନାବାଳିକା ଶୁଭଲକ୍ଷ୍ମୀ ସେନାପତିର(୮) ମୃତଦେହ ଉଦ୍ଧାର ହୋଇଛି । ସେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ । ସୁଷମା ନିଜ ଝିଅ ଶୁଭଲକ୍ଷ୍ମୀଙ୍କ ସହିତ ବାପ ଘରେ ରହୁଥିଲେ । ନାବାଳିକା ଜଣକ ବଡ଼କୋଲହା ଗ୍ରାମରେ ନିଜ ମାମୁଁ ଘରେ ରହି ପାଠ ପଢ଼ୁଥିଲେ । ଦୁଇ ଦିନ ପୂର୍ବରୁ ଗାଁରେ ଅଷ୍ଟପ୍ରହରୀ ଚାଲୁଥିବାବେଳେ ରାତିରେ ନାବାଳିକା ଜଣକ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ବହୁତ ଖୋଜାଖୋଜି କରି ନ ପାଇବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ପୋଲିସ ଏବଂ ସନ୍ଧାନୀ କୁକୁର ଦ୍ୱାରା ନିକଟସ୍ଥ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ କିନ୍ତୁ କୌଣସି ସନ୍ଧାନ ମିଳିନଥିଲା । ଗତକାଲି ସନ୍ଧ୍ୟା ସମୟରେ କେନାଲ ପାଖ ବିଲରେ କିଆ ଉପରେ ରକ୍ତ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଆଜି ସକାଳୁ ସ୍ଥାନୀୟ ଲୋକେ ବ୍ରାହ୍ମଣୀ ନଦୀ କେନାଲ ନିକଟରେ ଝିଅର ମୃତ ଦେହ ଭାସୁଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ କେନାଲରୁ ନାବାଳିକାର ମୃତଦେହକୁ ଉଦ୍ଧାର କରିଥିଲା । ମୃତଦେହର ନାକ ଏବଂ କାନରୁ ରକ୍ତ ବାହାରୁଥିଲା। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ନାବାଳିକାର ଅଜା ଜଣେ ପଡ଼ୋଶୀଙ୍କ ନାମରେ ହତ୍ୟା ଅଭିଯୋଗ କରିଛନ୍ତି । ଉକ୍ତ ପଡ଼ୋଶୀ ସହିତ ତାଙ୍କର ଦୀର୍ଘଦିନ ହେବ ତିକ୍ତତା ଥିଲା । ସେ ମଧ୍ୟ ଛଅ ମାସ ତଳେ ନାତୁଣୀକୁ ହତ୍ୟା କରିବାକୁ ଧମକ ଦେଇଥିଲେ । ତେଣୁ ସେ ହତ୍ୟା କରିଥିବା ପରିବାର କହିଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରିବାକୁ ପଠାଇଛି ଏବଂ ତଦନ୍ତ ଆରମ୍ଭ କରିଛି ।













