ଝିଅମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ରାଜ୍ୟରେ ସରକାର ଆଣୁଛନ୍ତି ‘କନ୍ୟା ସୁମଙ୍ଗଳ ଯୋଜନା’। ଏହା ବିଷୟରେ ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ଓ କହିଛନ୍ତି ଯେ, ଏହି ଯୋଜନାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର ଖୁବ୍ ଶୀଘ୍ର ଚୂଡାନ୍ତ ହେବ। ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଝିଅ ଶିଶୁଙ୍କ ଜନ୍ମରୁ ଆରମ୍ଭ କରି ତାଙ୍କର ଶିକ୍ଷା ଓ ଭବିଷ୍ୟତ ପାଇଁ ଆର୍ଥିକ ସୁରକ୍ଷା ଯୋଗାଇବ। ଏହି ଯୋଜନା ଅନୁଯାୟୀ, ଝିଅ ଜନ୍ମ ହେବାର ଏକ ବର୍ଷ ମଧ୍ୟରେ ସରକାର ତାଙ୍କର ବ୍ୟାଙ୍କ ଖାତାକୁ ପ୍ରଥମ ଆର୍ଥିକ ସହାୟତା ପଠାଇବେ। ପରେ ବିଭିନ୍ନ ପର୍ଯ୍ୟାୟରେ ଏହି ସହାୟତା ଜାରି ରହିବ ଏବଂ ୨୧ ବର୍ଷ ବୟସ ହେବା ବେଳକୁ ସରକାର ତାଙ୍କ ଖାତାରେ ଲକ୍ଷାଧିକ ଟଙ୍କା ଜମା କରିଥିବେ। ଏହି ଯୋଜନା ଦ୍ୱାରା ଝିଅମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ୱାବଲମ୍ବନତାକୁ ବୃଦ୍ଧି ମିଳିବ ବୋଲି ଆଶା କରାଯାଉଛି। ଏଥିସହିତ ଏହା ଲୋକମାନଙ୍କ ମନୋଭାବରେ ପରିବର୍ତ୍ତନ ଆଣି ଝିଅ ଶିଶୁଙ୍କ ପ୍ରତି ସମ୍ମାନ ଓ ସୁରକ୍ଷା ବଢ଼ାଇବାରେ ସହାୟକ ହେବ।












