ଏମାନଙ୍କ କଥା କେବେ ଭାବିଛନ୍ତି । ଏମାନେ ଆମ ପରି । ଏମାନଙ୍କର ବି ଘର ଅଛି, ପରିବାର ଅଛି । ଆମ ଚତୁଃପାର୍ଶ୍ବ ସଫେଇ କରିବାର ଭାର ଏମାନଙ୍କ କାନ୍ଧରେ । ସଫେଇ ବଦଳରେ ବାଲିମେଳା ଏନଏସି କର୍ତ୍ତୃପକ୍ଷ ଯାହା ପାରିଶ୍ରମିକ ଦିଅନ୍ତି, ସେଥିରେ ଗୁଜୁରାଣ ମେଣ୍ଟାନ୍ତି ଏମାନେ । ମାତ୍ର ପାଠଶାଠ ପଢି ନଥିବା ଏହି ଗରିବ ଲୋକଙ୍କ ଖଟିଖିଆ ଟଙ୍କାକୁ ଲୁଟି ନିଅନ୍ତି ପାଠ ପଢୁଆ ବାବୁମାନେ । ସ୍ବଚ୍ଛ ଭାରତ ଅଭିଯାନ ନାଁରେ ବର୍ଷ ବର୍ଷ ଧରି ବାଲିମେଳା ଏନଏସିରେ ଏମିତି ଲୁଟ୍ ଚାଲିଥିବା ଅଭିଯୋଗ ହୋଇଛି ।
ଏ ହେଉଛି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ । ବାଳିମେଳା ଏନଏସିରେ କାମ କରୁଥିବା ସଫେଇ କର୍ମଚାରୀଙ୍କ ନାଁରେ ଲୁଟ୍ ଅଭିଯୋଗ । ବର୍ଷ ବର୍ଷ ଧରି ସେମାନଙ୍କୁ ଏନଏସି ତରଫରୁ ଦିଆଯାଉଥିବା ପାରିଶ୍ରମିକ ବାବଦ ଅର୍ଥକୁ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଜରିଆରେ ଦିଆଯାଉଥିଲା । ଇପିଏଫ ବାବଦରେ ଟଙ୍କା ଡିପୋଜିଟ ହେଉଥିଲା କି ନାହିଁ, ସେକଥା ସଫେଇ କର୍ମଚାରୀଙ୍କୁ ଜଣାନାହିଁ । ୨୦୧୭ରେ ପନ୍ଦର ଜଣ ସଫେଇ କର୍ମଚାରୀ ନିୟୋଜିତ ଥିବା ବେଳେ ପଚିଶ ଜଣଙ୍କ ନାଁରେ ବିଲ୍ କରି ଟଙ୍କା ଚଳୁ କରୁଥିଲେ ବାବୁମାନେ । ଏଥିରେ ଏନଏସିର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଆକାଉଣ୍ଟାଣ୍ଟ ଓ କାର‌୍ୟ୍ୟନିର୍ବାହୀ ଅଧିକାରୀ ଥିବା ଅଭିଯୋଗ ହୋଇଛି ।
ମଷ୍ଟରରୋଲରେ ଦର୍ଶାଯାଇଥିବା ଦଶଜଣ ସଫେଇ କର୍ମଚାରୀ ଅନ୍ୟତ୍ର କାମ କରୁଥିବା ବେଳେ ସେମାନଙ୍କ ନାଁରେ ମିଛ ବିଲ୍ କରି ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଆସୁଛି । ସବୁଠୁ ଆଶ୍ଚର‌୍ୟ୍ୟର କଥା ହେଉଛି, ପ୍ରତିମାସରେ ସଫେଇ କର୍ମଚାରୀଙ୍କ ପାଖରୁ ମନଇଚ୍ଛା ଟଙ୍କା କାଟି ରଖୁଥିଲେ ବାବୁ । ଗରିବ ସଫେଇ କର୍ମଚାରୀଙ୍କ ପେଟକୁ ନାତ ମାରି ଦିନ ଦ୍ବିପହରେ ଲୁଟ୍ କରୁଥିବା ସରକାରୀ ବାବୁମାନଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here