ସୋମବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲିବ ଭିତର ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ।ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ନେଇ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କେମିତି ଗଣତି ହେବ ଏବଂ କେବେ ସରିବ ଏସବୁ ବୈଠକରେ ଆଲୋଚନା ହୋଇଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା । ସେ କହିଛନ୍ତି କଡା ସୁରକ୍ଷା ଭିତରେ ଗଣତି ମଣତି କରାଯିବ । ଏହା ପୂର୍ବରୁ ଏପ୍ରିଲ ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ବାହାର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଚାଲିଥିଲା । ଶନିବାର ଶେଷ ହୋଇଥିବା ଗଣତି ମଣତିରେ ୧୯୭୮ ମସିହା ତାଲିକା ଅନୁସାରେ ସମସ୍ତ ଅଳଙ୍କାର ମେଳ କରାଯାଇଥିଲା ତେବେ ୧୯୭୮ ତାଲିକା ଅନୁଯାୟୀ ଅଧିକ ଅଳଙ୍କାର ରହିଛି । ଏହା ପରେ ଆସନ୍ତାକାଲିଠୁ ଭିତର ରତ୍ନଭଣ୍ଡାରର ଗଣତି ମଣତି ଆରମ୍ଭ ହେବ । ରବିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ବସିଥିଲା । ବୈଠକ ପରେ ପୁରୀ ଜିଲ୍ଲାପାଳ କହିଛନ୍ତି ଯେ,” ମହାପ୍ରଭୁଙ୍କ କୃପାରୁ ସବୁ କାମ ସୁରୁଖୁରୁରେ ହେବ । ଠାକୁରଙ୍କ ନୀତି କାନ୍ତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବିଶେଷ ଗୁରୁତ୍ୱ ଦିଆଯିବ। ଟ୍ରେଜେରୀରୁ ଚାବି ଆସିବା ପରେ ଖୋଲିବ ଭିତର ରତ୍ନଭଣ୍ଡାର। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯାଇ ଗଣତି ମଣତି କରାଯିବ। ଏସଓପି ଅନୁଯାୟୀ ସମସ୍ତ କାର୍ଯ୍ୟ ମଧ୍ୟ କରାଯିବ।”












