ଉତ୍ତର ପ୍ରଦେଶର ଗୋରଖପୁରଠାରେ ରବିବାର ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୭୫ ହଜାର କୋଟି ଟଙ୍କାର ଏହି ଯୋଜନାର ପ୍ରଥମ ପର୍ୟ୍ୟାୟରେ ୧୪ ରାଜ୍ୟର ୧ କୋଟି କୃଷକଙ୍କୁ ପ୍ରଥମ କିସ୍ତି ବାବଦରେ ୨ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଏହି ଯୋଜନାରେ ୩ଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏ ମୋଟ ୬ ହଜାର ଟଙ୍କା ଚାଷୀଙ୍କୁ ସହାୟତା ଦିଆଯିବ। ୨ହେକ୍ଟର ଲେଖାଏ କୃଷି ଜମି ଥିବା ଚାଷୀ ଏହି ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବେ। ଚଳିତବର୍ଷ ଅନ୍ତରୀଣ ବଜେଟରେ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନା ବିଷୟରେ ଘୋଷଣା କରିଥିଲେ ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ। ଏହାଦ୍ୱାରା ସାରା ଦେଶର ପ୍ରାୟ ୧୨ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉକ୍ତ ଯୋଜନାର ସୁଫଳ ପାଇପାରିବେ ବୋଲି ସେ କହିଥିଲେ।