ବର୍ତ୍ତମାନ ସମୟକୁ ଦେଖିଲେ ସମସ୍ତେ ପ୍ରାୟ ସବୁ କାମ ଅନଲାଇନ କରିବାକୁ ପସନ୍ଦ କରୁଛନ୍ତି. ସେ ସପିଂ ହେଉ ଅବା ଖାଦ୍ୟ ଅର୍ଡର. ହେଲେ ଆପଣ ନିଶ୍ଚିତ ହୋଇ କହିପାରିବେ କି, ଆପଣ ଯେଉଁ ଖାଦ୍ୟ ଅର୍ଡର କରୁଛନ୍ତି, ତାହା ଖାଦ୍ୟ ଅସଲି ? ନା, ଆପଣ କେବେ ବି କହିପାରିବେନି ଯେ, ସବୁ ଖାଦ୍ୟ ଅସଲି ବୋଲି. ଠିକ୍ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ପନିର ବଦଳରେ ପ୍ୟାକେଟରୁ ବାହାରିଛି ପ୍ଲାଷ୍ଟିକ ଫାଇବର. ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ରର ଓୌରଙ୍ଗବାଦରେ ବାସ କରୁଥିବା ସଚିନ ଜାବଦାରେ ନିଜ ପିଲାଙ୍କ ପାଇଁ ଜୋମାଟୋରୁ ଚିଲ୍ଲୀ ପନିର ଓ ପନିର ମସାଲା ଅର୍ଡର କରିଥିଲେ. ଖାଦ୍ୟ ଆସି ପହଞ୍ଚିଥିଲା. ଆଉ ସମସ୍ତେ ଖାଇବା ଆରମ୍ଭ କରିଥିଲେ. ମାତ୍ର ଖାଇବା ସମୟରେ ତାଙ୍କ ଝିଅ କହିଥିଲା ଯେ, ସେ ଖାଉଥିବା ପନିର ଦାନ୍ତରେ ଛିଡୁନାହିଁ ଏବଂ ତା ଦାନ୍ତକୁ କଷ୍ଟ ହେଉଛି. ଝିଅ ଏଭଳି କହିବାର କାରଣ ଜାଣିବା ପାଇଁ ସଚିନ ନିଜେ ତାକୁ ଖାଇଥିଲେ ଏବଂ ପରେ ଯାହା ଜାଣିବାକୁ ପାଇଥିଲେ ତାହା ଆଶ୍ଚର୍ଯ୍ୟକର ଥିଲା. ପନିର ବଦଳରେ ସେଥିରେ ଥିଲା ପ୍ଲାଷ୍ଟିକ ଫାଇବର୍. ଯେଉଁଥିପାଇଁ ତାହା ଦାନ୍ତରେ ଛିଡୁନଥିଲା.  ଏ ସବୁ ଜାଣିଲା ପରେ ସଚିନ , ଉକ୍ତ ରେସ୍ତୋରାଁକୁ ଯାଇ ଏ ସଂକ୍ରାନ୍ତରେ ଜଣାଇଥିଲେ. ମାତ୍ର ସେମାନେ ଏହାକୁ ଏଡାଇ ଦେଇଥିଲେ. ଆଉ କହିଥିଲେ ଜୋମାଟୋ ଡେଲିଭର ବଏ କିଛି କରିଥିବେ. ଏହା ଶୁଣିବା ପରେ ବର୍ତ୍ତମାନ, ସଚିନ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି. ପରୀକ୍ଷା ପାଇଁ ଖାଦ୍ୟକୁ ପଠାଯାଇଛି ଏବଂ ରିପୋର୍ଟ ଆସିଲା ପରେ ଖାଦ୍ୟ କମ୍ପାନୀ ନାଁ ରେ ଉଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୋଲିସ ଇନସ୍ପେକ୍ଟର ଶ୍ୟାମ ସୁନ୍ଦର ବସୁଲକର. ଏହି ଘଟଣା ପରେ ଉକ୍ତ ରେସ୍ତୋରାଁକୁ ନିଲମ୍ବିତ କରାଯାଇଛି. ଏହାଛଡା ଖାଦ୍ୟ ସୁରକ୍ଷା, ଗୁଣବତ୍ତା ଉପରେ ଜୋମାଟୋ ଯତ୍ନବାନ ବୋଲି ଜୋମାଟୋ କର୍ତ୍ତୃପକ୍ଷ କହିବା ସହ ଏଭଳି ଘଟଣା ପାଇଁ କ୍ଷମା ପ୍ରାର୍ଥନା ମଧ୍ୟ ମାଗିଛନ୍ତି.

LEAVE A REPLY

Please enter your comment!
Please enter your name here