କାମ ଦେଲାନି ବବି ମନ୍ତ୍ର । ସମସ୍ତ ଉଦ୍ୟମ ସତ୍ତ୍ବେ ଧାମନଗର ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ଶେଷ ମୁହୂର୍ତ୍ତରେ ବିଜେଡି ତାଙ୍କୁ ଟିକଟ ନ ଦେଇ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିବା ପରେ ବିଦ୍ରୋହୀ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି ରାଜେନ୍ଦ୍ର । ଆଜି ନିଜ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ଗତ ନିର୍ବାଚନରେ ସେ ଦଳର କୁଚକ୍ରୀ ଗୋଷ୍ଠୀଙ୍କ ଯୋଗୁ ଅଳ୍ପ ଭୋଟ ବ୍ୟବଧାନରେ ନିର୍ବାଚନ ହାରିଥିଲେ । ଦଳୀୟ ସଂଗଠନ ପାଇଁ ଦୀର୍ଘବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ ମଧ୍ୟ ବିଜେଡି ତାଙ୍କୁ ପ୍ରାର୍ଥୀ ନ କରିବା ନେଇ ସେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନାମାଙ୍କନ ଦାଖଲ ପରେ ରାଜେନ୍ଦ୍ର କହିଛନ୍ତି, ଧାମନଗରବାସୀ ବିଚାର କରିବେ, କିଏ ନାୟକ, ଆଉ କିଏ ଖଳ ନାୟକ ।

ରାଜେନ୍ଦ୍ର ଦାସ 2009 ରୁ 2014 ପର୍ଯ୍ୟନ୍ତ ବିଜେଡି ଟିକଟରେ ବିଧାୟକ ନିର୍ବାଚିତ ହୋଇଥିଲେ । 2014ରେ ଦଳ ତାଙ୍କୁ ଟିକଟ ଦେଇ ନ ଥିଲେ ବି ସଂଗଠନରେ ରହି କାର୍ଯ୍ୟ କରୁଥିଲେ । 2019ରେ ବିଜେଡି ତାଙ୍କୁ ପ୍ରାର୍ଥୀ କରିଥିଲେ ବି ଅଳ୍ପ ଭୋଟରେ ସେ ବିଜେପି ପ୍ରାର୍ଥୀ ବିଷ୍ଣ ସେଠୀଙ୍କ ନିକଟରୁ ହାରିଥିଲେ । ଉପନିର୍ବାଚନରେ ଦଳ ତାଙ୍କୁ ପ୍ରାର୍ଥୀ କରିବ ବୋଲି ସେ ଆଶା କରିଥିଲେ ହେଁ ଶେଷ ମୁହୂର୍ତ୍ତରେ ଦଳ ତାଙ୍କୁ ଟିକଟ ନ ଦେଇ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିବା ପରେ ରାଜେନ୍ଦ୍ର ଦାସ ବିଦ୍ରୋହୀ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ରାଜେନ୍ଦ୍ରଙ୍କ ନାମାଙ୍କନ ଦାଖଲ ପରେ ଧାମନଗର ନିର୍ବାଚନମଣ୍ଡଳୀରେ ବିଜେଡିକୁ ଶକ୍ତ ଝଟକା ଲାଗିଛି । ଅନ୍ୟପକ୍ଷରେ ବିଷ୍ଣ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ ବିଜେପି ପ୍ରାର୍ଥୀ ହେବେ ବିଜେଡିର ଭୋଟ ବିଭାଜନରୁ ବେଶୀ ଫାଇଦା ନେବେ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here