ମୟୂରଭଞ୍ଜ ଜିଲ୍ଲାର ଘରୋଇ ବିଦ୍ୟାଳୟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ଓ ହଷ୍ଟେଲ ୱାର୍ଡେନଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ମୟୂରଭଞ୍ଜ ପୋଲିସକୁ ମିଳିଛି ସଫଳତା। ଘଟଣାର ପ୍ରାୟ ସପ୍ତାହ ପରେ ପୋଲିସ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ବିଦ୍ୟାଳୟ ସମ୍ମୁଖ ଘରର ରତିକାନ୍ତ ଜେନାଙ୍କ ପୁଅ ଶୁକଦେବ ଜେନା ଓ ସନ୍ୟାସୀ ଜେନା ଅଟନ୍ତି । ଦୁଇ ଜଣ ଅଭିଯୁକ୍ତ ଦୁଇ ଭାଇ ଅଟନ୍ତି । ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି । ଗତ ୨୦ ତାରିଖ ରାତିରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା କାଦମ୍ବିନୀ ରାଉତଙ୍କ ଦେହ ଖରାପ ହେବାରୁ ହଷ୍ଟେଲ ୱାର୍ଡେନ ସନ୍ୟାସୀ ଦାସ ତାଙ୍କୁ ବାଇକରେ ଏକ ନିକଟସ୍ଥ ଔଷଧାଳୟକୁ ଯାଉଥିଲେ । ବିଦ୍ୟାଳୟରୁ ଶହେ ମିଟର ଦୂରରେ କେହି ଦୁର୍ବୁତ୍ତ ମରଣାନ୍ତ୍ରକ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଫଳରେ ଉଭୟ ଗୁରୁତର ହୋଇପଡ଼ିଥିଲେ । ଉଭୟଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ବଡସାହି ଥାନା ମାଣତ୍ରି ଫାଣ୍ଡି ଅନ୍ତର୍ଗତ ଧନାପାଲ ଗ୍ରାମର ୱାର୍ଡେନ ସନ୍ୟାସୀ ଦାସଙ୍କୁ ମୃତ ଘୋଷଣା କରିଥିଲେ । ଅତିରିକ୍ତ ଏସପି ଅଜୟ କୁମାର ବାରିକଙ୍କ ସୂଚନା ମୁତାବକ, ଦୁଇ ଭାଇ ବାପୁନ ଓ ଶନି ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀଙ୍କ ସହିତ ସମ୍ପର୍କରେ ରହି ପ୍ରାୟ ସମୟରେ ହଷ୍ଟେଲ ପରିସରରେ ପଶି ବିଶୃଙ୍ଖଳା ସୃଷ୍ଟି କରୁଥିଲେ । ଅଧ୍ୟକ୍ଷା କାଦମ୍ବିନୀ ରାଉତ ଉଭୟଙ୍କୁ ବାରମ୍ବାର ତାଗିଦ କରୁଥିଲେ । ଦୁଇ ଭାଇ ପ୍ରତିଶୋଧ ପରାୟଣ ହୋଇ ଅଧ୍ୟକ୍ଷାଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ୱାର୍ଡେନ୍ ସେମାନଙ୍କୁ ଚିହ୍ନି ଦେବାରୁ ତାଙ୍କୁ ରାସ୍ତାରୁ ହଟାଇ ଦେଇଥିଲେ । ଏଥିରେ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ର ଅଧ୍ୟକ୍ଷାଙ୍କ ଟିକିନିଖି ଖବର ଦେଇଥିଲା । ଘଟଣା ପରଠାରୁ ଦୁଇ ଭାଇ ଫେରାର ହୋଇଯାଇଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ଦୁଇ ଭାଇଙ୍କୁ ଗିରଫ କରିଥିଲା ।












