ବିଜୁ ଜନତା ଦଳ ଗ୍ରହଣ କରିଛି କାର୍ଯ୍ୟାନୁଷ୍ଠାନ । ଦଳୀୟ ହ୍ୱିପକୁ ଅବମାନନା କରି କ୍ରସ୍ ଭୋଟିଂ କରିଥିବା ୬ ଜଣ ବିଧାୟକଙ୍କୁ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଦଳରୁ ନିଲମ୍ବିତ କରିଛନ୍ତି । ସେମାନେ ହେଲେ ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ,କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ବସ୍ତା ବିଧାୟିକା ସୁବାସିନୀ ଜେନା, ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ତିର୍ତ୍ତୋଲ୍ ବିଧାୟକ ରମାକାନ୍ତ ଭୋଇ । ଏହି ୬ ବିଧାୟକଙ୍କୁ ମିଶାଇ ମୋଟ ୮ ଜଣ ବିଧାୟକ ବିଜେଡ଼ିରୁ ବର୍ତ୍ତମାନ ନିଲମ୍ବିତ ହୋଇଛନ୍ତି । ପରବର୍ତ୍ତୀ ସମୟରେ ଦଳ ପକ୍ଷରୁ ବିଧାନସଭାରେ ଏମାନଙ୍କ ଆସନ ପରିବର୍ତ୍ତନ ପାଇଁ ମଧ୍ୟ ବାଚସ୍ପତିଙ୍କୁ ସୁପାରିଶ କରାଯାଇପାରେ । ଗତ ୧୬ ତାରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନରେ ଏହି ସଦସ୍ୟମାନେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ସପକ୍ଷରେ ମତଦାନ କରିଥିଲେ । ଏମାନଙ୍କୁ ଦଳ କାରଣ ଦର୍ଶାଅ ନୋଟିସ୍ ଜାରି କରି ମାର୍ଚ୍ଚ ୨୦ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲା କିନ୍ତୁ ପାଲଟା ଜବାବରେ ବିଧାୟକମାନେ ଧମକ ଦେଇଥିଲେ । ଏହା ଜାତୀୟ ନିର୍ବାଚନ ଆୟୋଗ ଏବଂ ସୁପ୍ରିମକୋର୍ଟଙ୍କ ଅବମାନନା । ଯଦି ନୋଟିସ୍ ପ୍ରତ୍ୟାହୃତ ନ ହୁଏ ତେବେ ମୁଖ୍ୟ ସଚେତକଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ଚେତାବନୀ ଦେଇଥିଲେ ।













