ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଆକ୍ରମଣ ଚଳାଇଛି ବିଜେପି ଯାହାର ପ୍ରତିରୋଧ ଜରୁରି ବୋଲି ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜାତୀୟ ସଂପାଦକ ତଥା ରାଜ୍ୟସଭା ସାଂସଦ ଡ଼ି.ରାଜା ଭୁବନେଶ୍ୱରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଡ଼ି.ରାଜା ବିଜେପି ଏବଂ ଆର୍ଏସ୍ଏସ୍ କୁ ଟାର୍ଗେଟ କରି କହିଛନ୍ତି ନୂଆ ଭାରତ ନିର୍ମାଣ ନାଁରେ ହିନ୍ଦୁବାଦୀ ଏଜେଣ୍ଡାକୁ କାର୍ଯ୍ୟକାରୀ କରିବା ଏମାନଙ୍କର ଏକ ମାତ୍ର ଲକ୍ଷ ଏବଂ ସଂଖ୍ୟାଲଘୁ ମାନଙ୍କ ଉପରେ ଆକ୍ରମଣକୁ ମଧ୍ୟ ପ୍ରୋତ୍ସାହିତ କରୁଛି ବିଜେପି । ବର୍ତ୍ତମାନ ଦେଶରେ ସବୁ କ୍ଷେତ୍ରରେ ସଂକଟ ଦେଖାଦେଲାଣି । ଦେଶରେ ଏକ ରାଷ୍ଟ୍ର, ଏକ ନିର୍ବାଚନର କଥା କହୁଛି ବିଜେପି, କିନ୍ତୁ ଜମ୍ମୁ କାଶ୍ମିରରେ ନିର୍ବାଚନ ହୋଇପାରିଲା ନାହିଁ । ଦେଶର ସମ୍ବିଧାନ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ରାଜ୍ୟରେ ବିଭିନ୍ନ ସରକାର ଗଠନ ପାଇଁ ଅଲଗା ଅଲଗା ସମୟରେ ନିର୍ବାଚନ ହେବାର ବ୍ୟବସ୍ଥା ରହିଛି ଏବଂ ରାଜ୍ୟ ସରକାର ଗୁଡିକର କାର୍ଯ୍ୟକାଳ ମଧ୍ୟ ଭିନ୍ନ ଭିନ୍ନ ସମୟରେ ଶେଷ ହେଉଥିବା ବେଳେ ଏକା ଥରେ ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ମାରାତ୍ମକ ଏବଂ ଆମ ସମ୍ବିଧାନ ବିରୋଧୀ ବୋଲି ଡ଼ି.ରାଜା କହିଛନ୍ତି । ଲୋକସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବିଜେପି ବର୍ତମାନ ରାଜ୍ୟସଭାରେ ବି ସଂଖ୍ୟାଗରିଷ୍ଠତା ପାଇଁ ଉଦ୍ୟମ ଚଳାଇଛି । କିନ୍ତୁ ସଂଖ୍ୟା ଗରିଷ୍ଠତା ହାସଲ ସାଙ୍ଗକୁ ଆମ ଦେଶରେ ପ୍ରଚଳିତ ସଂବିଧାନିକକୁ ସମ୍ମାନ ଜଣାଇ ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ମୂଲ୍ୟବୋଧ ପ୍ରତି ଶାସକ ଦଳ ଧ୍ୟାନ ଦେବା ଉଚିତ ବୋଲି ଡ଼ି.ରାଜା କହିଛନ୍ତି । ବିଭିନ୍ନରାଜ୍ୟର ଆଚଂଳିକ ଦଳମାନଙ୍କୁ ସିବିଆଇ , ଇଡି ଓ ଆୟକର ଦ୍ୱାରା ଚଢାଉର ଭୟ ଦେଖାଇ ଚାପ ପ୍ରୟୋଗ କରାଯାଇ ସମର୍ଥନ ହାସଲ କରାଯାଉଛି । କେଉଁଠି କେଉଁଠି ଗୋପନ ବୁଝାମଣା କରି ରାଜନୈତିକ ଫାଇଦା ହାସଲ କରୁଛି ବିଜେପି ଏବଂ ଏହାର ଏକ ଜ୍ୱଳନ୍ତ ଉଦାହରଣ ଓଡିଶା । ଓଡିଶାରେ ବିଜୁ ଜନତା ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ଚିଟ୍ଫଣ୍ଡ ଘୋଟାଲରେ ସିବିଆଇ ତଦନ୍ତ ଏବଂ ଗିରଫ ଭୟରେ ବିଜେଡି ବିଜେପିର ରାଜ୍ୟସଭା ସାଂସଦଙ୍କୁ ସମର୍ଥନ ଜଣାଇଛି ବୋଲି ଡ଼ି.ରାଜା କହିଥିଲେ ।

LEAVE A REPLY

Please enter your comment!
Please enter your name here