ଆଜାଦନଗର ବିସ୍ଫୋରଣ ଘଟଣାର ତଦନ୍ତ କରିବ ଏନ୍ଆଇଏ । ବୋମା ତିଆରିରେ ଶକ୍ତିଶାଳୀ ବିସ୍ଫୋରକ ଆରଡିଏକ୍ସ ବ୍ୟବହାର ହୋଇଥିବାରୁ ଏନ୍ଆଇଏ ହାତକୁ ତଦନ୍ତଭାର ଦିଆଯାଇଛି । ଆରଡିଏକ୍ସ କାହିଁକି ବ୍ୟବହାର କରାଯାଇଥିଲା, ଏଥିରେ ଆତଙ୍କବାଦୀ ଲିଙ୍କ୍ ରହିଛି କି ନାହିଁ ଯାଞ୍ଚ କରିବ ଏନ୍ଆଇଏ । ଗତ ଜାନୁଆରୀ ୨୭ ତାରିଖ ଅପରାହ୍ନ ସମୟରେ ଏୟାରଫିଲ୍ଡ ଥାନା ନିୟୁ ଆଜାଦନଗରରେ ରେହନୁମା ମଞ୍ଜିଲରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବୋମା ଭିଡ଼ୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ୪ ଜଣ ବ୍ୟକ୍ତି ଗୁରୁତର ହୋଇଥିଲେ । ସେହନୱାଜ ମଲ୍ଲିକ, ସେହନୱାଜର ମାଆ, ବାନ୍ଧବୀ ଏବଂ ସାଙ୍କ ଅମୀୟ ରଞ୍ଜନ ମଲ୍ଲିକ । ଫେବ୍ରୁଆରୀ ୪ ତାରିଖରେ, ଘରୋଇ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେହନୱାଜ ମଲ୍ଲିକର ମୃତ୍ୟୁ ହୋଇଥିଲା । ଏହା ପରେ ତାର ମାଆଙ୍କ ପ୍ରାଣ ହରାଇଥିଲେ । ସେହନୱାଜ ନାମରେ ୭ଟି ଅପରାଧିକ ମାମଲା ରହିଛି । ସେ ଜାମିନରେ ଜେଲରୁ ବାହାରିଥିଲା। ସେହନୱାଜ ନିଜ ମା ଏବଂ ବାନ୍ଧାବୀ ସହିତ ପ୍ରଥମ ମହଲାରେ ଭଡ଼ାରେ ରହୁଥିଲା । ଘରର ମାଲିକ ରହୁନଥିବାରୁ ତାହାର ସୁଯୋଗ ନେଇ ସେହନୱାଜ ଛାତ ଉପରେ ବୋମା ତିଆରି କରୁଥିଲା । ବୋମା ଭିଡ଼ୁଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା । ଏହି ମାମଲାରେ ପୂର୍ବରୁ ମଧ୍ୟ ଏନ୍ଆଇଏ ତଦନ୍ତ କରିଥିଲା । ସେହନୱାଜର ବାନ୍ଧବୀ ଏବଂ ସାଙ୍ଗ ଏବେ ନଜରରେ ରହିଛନ୍ତି । ଏକାଧିକ ଲୋକଙ୍କୁ ପଚରାଉଚରା କରାଯାଉଛି ।













