ଭୁବନେଶ୍ୱରରୁ ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସର ସ୍ପେସାଲ୍ ବ୍ରାଞ୍ଚ। ଗିରଫ ଯୁବକ ହେଲେ ମହମ୍ମଦ ଇମ୍ରାନ। ପୋଲିସର ସହଯୋଗରେ ୟୁନିଟ୍-୬ ଅଞ୍ଚଳରୁ ତାଙ୍କୁ ଧରାଯାଇଛି ବୋଲି ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ତଦନ୍ତରୁ ଜଣାପଡ଼ିଛି ଯେ, ଇମ୍ରାନ ସୋସିଆଲ୍ ମିଡିଆରେ ଦେଶ ବିରୋଧୀ ପୋଷ୍ଟ କରୁଥିବା ସହ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ ଥିଲେ। ତାଙ୍କର ଆତଙ୍କବାଦୀ ଲିଙ୍କ୍ ଥିବା ସନ୍ଦେହରେ ପୋଲିସ ତାଙ୍କୁ ଗିରଫ କରିଛି। ଗିରଫ ସମୟରେ ପୋଲିସ ତାଙ୍କ ପାଖରୁ ମୋବାଇଲ, ଲାପଟପ୍ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ପ୍ରମାଣ ଜବତ କରିଛି । ଗିରଫ ପରେ ତାଙ୍କୁ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା ଓ ପରେ ଦିଲ୍ଲୀ ପୋଲିସର ବିଶେଷ ଦଳ ତାଙ୍କୁ ଦିଲ୍ଲୀକୁ ନେଇଯାଇଛି। ଏପର୍ଯ୍ୟନ୍ତ ଦିଲ୍ଲୀ ପୋଲିସ ପକ୍ଷରୁ ଏହି ଗିରଫ ସମ୍ପର୍କରେ ସବିଶେଷ ସୂଚନା ପ୍ରକାଶ କରାଯାଇନାହିଁ।













