କୋରାପୁଟ କୋଟିଆ ପଂଚାୟତର ତିନୋଟି ଗାଁକୁ ଆନ୍ଧ୍ରପ୍ରଦେଶ ସରକାର ନାଁ ବଦଳାଇ ସେଠାରେ ପଞ୍ଚାୟତ ନିର୍ବାଚନ କରିବା ପରେ ଓଡିଶା ସରକାରଙ୍କ ନିଦ ଭାଙ୍ଗିଛି । ନେଡିଗୁଡ କହୁଣୀକୁ ବୋହିଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ୟାକେଜ ଘୋଷଣା କରିଛନ୍ତି । କୋଟିଆ ପଞ୍ଚାୟତ ଆଦର୍ଶ ପଞ୍ଚାୟତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଣା କରିଛନ୍ତି । ଭର୍ଚୁଆଲରେ କୋଟିଆ ପାଇଁ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ କୋଟିଆ ପଞ୍ଚାୟତର ବିକାଶ ପାଇଁ ସରକାର ବଦ୍ଧପରିକର ବୋଲି କହିଛନ୍ତି । କୋଟିଆ ପଞ୍ଚାୟତର ତିନୋଟି ଗାଁକୁ ଆନ୍ଧ୍ରପ୍ରଦେଶ ନିଜ ରାଜ୍ୟରେ ମିଶାଇ ପଂଚାୟତ ନିର୍ବାଚନ କରିବା ଖବର ପ୍ରସାରିତ ହେବା ପରେ ଗତକାଲି ମୁଖ୍ୟମନ୍ତ୍ରୀ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ବଦଳି କରି ତାଙ୍କ ସ୍ଥାନରେ ମହମ୍ମଦ ଅବଦଲ୍ଲ ଅଖତାରଙ୍କୁ ନିଯୁକ୍ତି ଦେଇଛନ୍ତି । ମାତ୍ର ପ୍ରଶ୍ନ ଉଠୁଛି, କୋଟିଆ ପଂଚାୟତର ତିନୋଟି ଗାଁ କୁ ନିଜ ରାଜ୍ୟରେ ମିଶାଇବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ସାହସ କଲେ କେମିତି ? ଯେତେବେଳେ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେଲା, ସେତେବେଳେ ରାଜ୍ୟ ସରକାର ଅଟକାଇଲେ ନାହିଁ କାହିଁକି ? ଆନ୍ଧ୍ରପ୍ରଦେଶର ନିର୍ବାଚନ ଅଧିକାରୀ, ସୁରକ୍ଷା ଅଧିକାରୀ ଓଡିଶା ସୀମାନ୍ତ ମଧ୍ୟକୁ ପ୍ରବେଶ କରି ନିର୍ବାଚନ ପରିଚାଳନା କରୁଥିବା ବେଳେ ଓଡିଶା ସରକାରଙ୍କ ପ୍ରଶାସନିକ ବାବୁମାନେ ହାତରେ ଚୁଡି ପିନ୍ଧି ବସିଥିଲେ କଣ ପାଇଁ ? ଯଦି ଆରମ୍ଭରୁ ସେମାନଙ୍କୁ ଅଟକାଇଥାନ୍ତେ, ତାହେଲେ କୋଟିଆ ପଂଚାୟତର ଗାଁ ଲୋକଙ୍କୁ ଭୋଟର ପରିଚୟପତ୍ର ଦେବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବାକୁ ସୁଯୋଗ ପାଇ ନଥାନ୍ତେ । ଏଇଥିପାଇଁ ଆନ୍ଧ୍ରପ୍ରଦେଶ ସରକାର ସାହସ କଲେ, ଯେହେତୁ ଓଡିଶାରେ ଦୁର୍ବଳ ନେତୃତ୍ବାଧୀନ ସରକାର ଶାସନ କରୁଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଗତ 20 ବର୍ଷରୁ ଅଧିକ ସମୟ ହେଲାଣି, ନବୀନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଛନ୍ଚି । କିନ୍ତୁ କୋଟିଆ ପାଇଁ ଯେତିକି ଗୁରୁତ୍ବ ଦେବା କଥା, ସେତିକି ଗୁରୁତ୍ବ ଦେଇ ନାହାଁନ୍ତି । ଲୋକଙ୍କ ବିକାଶ ପାଇଁ ଯଦି ସରକାର କାମ କରିଥାନ୍ତେ, ତେବେ ଆଜି ଆନ୍ଧ୍ରପ୍ରଦେଶର ନିର୍ବାଚନକୁ ନିଜେ ଗ୍ରାମବାସୀ ବର୍ଜନ କରିଥାନ୍ତେ । ମାତ୍ର ଓଡିଶା ସରକାରଙ୍କ ଉଦାସୀନତା ପାଇଁ ଗ୍ରାମବାସୀ ଆନ୍ଧ୍ରପ୍ରଦେଶର ମାଲିକାନାକୁ ଗ୍ରହଣ କରିନେଇଥିବା ମନେ ହେଉଛି । 2018ରେ ରାଜ୍ୟ ସରକାର କୋଟିଆ ପାଇଁ 150 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିଥିଲେ ହେଁ, ତାହା ଏଯାଏଁ ସଂପୂର୍ଣ୍ଣ ହୋଇନାହିଁ । ଆଜି ମୁଖ୍ୟମନ୍ତ୍ରୀ 13 କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିଥିବା ବେଳେ 5 କୋଟି ଟଙ୍କାର ସେତୁ ପ୍ରତିଷ୍ଟା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଖୁବଶୀଘ୍ର ସେ କୋଟିଆ ଯିବେ ଏବଂ କୋଟିଆର ଘରେ ଘରେ ବିକାଶ ପହଞ୍ଚାଇବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ନବୀନ କହିଛନ୍ତି । ସୂଚନାଯୋଗ୍ୟ, ଗତ 31 ତାରିଖରେ ଆନ୍ଧ୍ରପ୍ରଦେଶ ସରକାର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ପରେ 15 ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆନ୍ଧ୍ରପ୍ରଦେଶ କୋଟିଆ ପଂଚାୟତର ତିନୋଟି ଗାଁ ଗଂଜେଇପଦର, ପଟ୍ଟୁସିନେରି ଓ ଫଗୁନସିନେରି ନାଁ ବଦଳାଇ ଗଂଜେଇବାଦ୍ରା, ପଟ୍ଟୁ ଚେନ୍ନୁରୁ ଓ ଫଗୁଲଚେନ୍ନୁରୁ ନାଁ ଦେଇ ନିର୍ବାଚନ କରୁଛି । ଗଂଜେଇପଦରରୁ ସର୍ବାଧିକ 13 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here