ଆଉ ନାହାଁନ୍ତି ପିପିଲି ବିଧାୟକ ତଥା ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ପ୍ରଦିପ ମହାରଥୀ । ଚିକିତ୍ସିତ ଅବସ୍ଥାରେ ୬୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରଦିପ ମହାରଥୀ । ଯିଏ ସବୁବେଳେ କହୁଥିଲେ ୧୦୦ ଘୋଡାକୁ ୧୦୦ ହାତୀ ଏକା ଲଢିବ ମହାରଥୀ । କିନ୍ତୁ ସେ ଆଜି ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ସମସ୍ତଙ୍କର ଜଣାସୁଣା ଏବଂ ପ୍ରିୟ ଲୋକଥିଲେ ପ୍ରଦିପ ମହାରଥୀ । ପିପିଲିରେ ଥିଲା ତାଙ୍କର ସ୍ୱତନ୍ତ୍ର ପରିଚୟ । ଓଡିଶା ବିଧାନସଭାର ବିରିଷ୍ଠ ବିଧାୟକ ଭାବରେ ନିଜର ପରିଚୟ ହାସଲ କରିଥିଲେ ପ୍ରଦିପ ମହାରଥୀ । ୭ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ମହାରଥୀଙ୍କର ପିପିଲି ଡେଲାଙ୍ଗ ସହିତ ପୁରୀ ଜିଲ୍ଲାରେ ତାଙ୍କର ରହିଛି ସ୍ୱତନ୍ତ୍ର ପରିଚୟ । ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ଛାତ୍ର ରାଜନୀତି ସହିତ ଜଡିତ ଥିଲେ ମହାରଥୀ । ସେଠାରୁ ପାସ୍ ହେବା ପରେ ବିଜୁ ବାବୁଙ୍କ ଡାକରାରେ ସକ୍ରିୟ ରାଜନୀତିରେ ସାମିଲ ହୋଇଥିଲେ । ୧୯୮୫ରେ ଜନତା ପାର୍ଟି ଏବଂ ୧୯୯୦ ରେ ଜନତା ଦଳରୁ ବିଧାୟକ ହୋଇଥିଲେ । ଚରମ ପ୍ରତିଦ୍ୱନ୍ଦି ଯୁଧିଷ୍ଠିର ସାମନ୍ତରାୟଙ୍କ ବିରୋଧରେ ନିର୍ବାଚନୀ ରଣହୁଙ୍କାର ଦେଇଥିଲେ ମହାରଥୀ । ୧୯୯୫ରେ କିନ୍ତୁ ପରାଜିତ ହୋଇଥିଲେ । ହେଲେ ବିଜୁ ଜନତା ଦଳରେ ଯୋଗଦେବା ପରେ ବାରମ୍ବାର ପିପିଲି ବାସୀଙ୍କ ଆର୍ଶିବାଦ ପାଇ ଆଗକୁ ବଢିଥିଲେ ମହାରଥୀ । ନବୀନ ପଟ୍ଟନାୟକ କ୍ୟାବିନେଟର କୃଷି, ମତ୍ସ୍ୟ ସମ୍ପଦ ଏବଂ ପଞ୍ଚାୟତରାଜ ଭଳି ଗୁରୁତ୍ତ୍ୱପୁର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇଛନ୍ତି ପ୍ରଦିପ ମହାରଥୀ । ସେ କୃଷି ମନ୍ତ୍ରୀ ଥିବା ସମୟରେ ଓଡିଶାକୁ କୃଷି କର୍ମଣ ପୁରସ୍କାର ବି ମିଳିଛି । ୨୦୧୪ ନିର୍ବାଚନ ଜିତିବା ପରେ ପୁର୍ନବାର ମନ୍ତ୍ରୀ ହୋଇଥିଲେ ମହାରଥୀ । ପ୍ରଦିପ ମହାରଥୀଙ୍କୁ ହରାଇ କାନ୍ଦୁଛନ୍ତି ପିପିଲିବାସୀ ।

LEAVE A REPLY

Please enter your comment!
Please enter your name here