ଗ୍ୟାସକୁ ନେଇ ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ଏବେ ଖୋଲା ବଜାରରେ LPG ଗ୍ୟାସ ବିକ୍ରି ଉପରେ କଡା ନିୟମ ଲାଗୁ ହେବ ଏବଂ ୫ କେଜି ସିଲିଣ୍ଡରରେ ଗ୍ୟାସ ଭର୍ତ୍ତି ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। ଗ୍ୟାସର କଳାବଜାରିକୁ ରୋକିବା ଓ ସାଧାରଣ ଲୋକଙ୍କୁ ସୁବିଧା ଦେବା ଲକ୍ଷ୍ୟରେ ଏହି ବଡ଼ ପଦକ୍ଷେପ ନିଆଯାଇଛି।ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ, “ମଧ୍ୟ ପୂର୍ବରେ ଚାଲୁଥିବା ଯୁଦ୍ଧ ପରିସ୍ଥିତି ଦ୍ୱାରା ଗ୍ୟାସ ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଛି। ଏହାର ପରିଣାମରେ ଖୋଲା ବଜାରରେ LPG ଦାମ ହଠାତ୍ ବଢ଼ିଯାଇଛି ଏବଂ ସାଧାରଣ ଲୋକଙ୍କ ପାଇଁ ଗ୍ୟାସ କିଣିବା କଷ୍ଟକର ହୋଇପଡ଼ିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଖୋଲା ବଜାରରେ ଗ୍ୟାସ ବିକ୍ରିକୁ ନିଷେଧ କରିଛି। ଏଣିକି କେବଳ ଅଧିକୃତ ଗ୍ୟାସ ଏଜେନ୍ସି ମାଧ୍ୟମରେ ନିଜ ନାମରେ ରେଜିଷ୍ଟର ଥିବା LPG କନେକ୍ସନ୍ ଥିବା ଗ୍ରାହକମାନେ ଗ୍ୟାସ ସିଲିଣ୍ଡର ପାଇପାରିବେ। ସମସ୍ତ ଗ୍ୟାସ ଲେନଦେନ ପାଇଁ E-KYC ଅନିବାର୍ଯ୍ୟ କରାଯାଇଛି, ଯାହା ଦ୍ୱାରା ପ୍ରତ୍ୟେକ ଗ୍ରାହକଙ୍କ ସଠିକ୍ ପରିଚୟ ନିଶ୍ଚିତ ହେବ। ରାଜ୍ୟରେ କୌଣସି ଗ୍ୟାସ କିମ୍ବା ପେଟ୍ରୋଲ୍ ଅଭାବ ନାହିଁ ଓ କଳାବଜାରି ମଧ୍ୟ ହୋଇନାହିଁ। ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରୟାପ୍ତ LPG ମହଜୁଦ ରହିଛି ଏବଂ ସାଧାରଣ ଯୋଗାଣ ଜାରି ରହିବ।” ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ସବସିଡି ଗ୍ୟାସ ସଠିକ୍ ହକଦାରଙ୍କ ପହଞ୍ଚିବା ସୁନିଶ୍ଚିତ ହେବ ବୋଲି କୁହାଯାଉଛି।













