ଭୁବନେଶ୍ୱରରେ ଘଟିଛି ଏକ ହୃଦୟବିଦାରକ ଘଟଣା । ଏୟାରଫିଲ୍ଡ ଥାନା ଅଧୀନ ସ୍ୱସ୍ତି ନଗର ଅଞ୍ଚଳରେ ସ୍ୱାମୀ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ତଣ୍ଟି କାଟି ବିଭତ୍ସ ହତ୍ୟା କରିଛି ।ଅଭିଯୁକ୍ତ ସ୍ୱାମୀ ହେଲେ ଦେବରାଜ ଷଡ଼ଙ୍ଗୀ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ମୃତ ମହିଳ ହେଲେ ପ୍ରିୟମ୍ବଦା ଷଡ଼ଙ୍ଗୀ । ସୂଚନା ଅନୁଯାୟୀ, ଅଭିଯୁକ୍ତ ଦେବରାଜ ଷଡ଼ଙ୍ଗୀ ଆକାଉଣ୍ଟାଣ୍ଟ୍ ଜେନେରାଲ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ । ସେ ଦୁଇ ବର୍ଷ ତଳୁ ଚାକିରୀରୁ ଅବସର ନେଇଥିଲେ । ଦମ୍ପତି ସ୍ୱସ୍ତି ନଗରରେ ବସବାସ କରୁଥିଲେ। ହତ୍ୟାର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। କିଛି ଦିନ ହେବ ସ୍ୱାମୀଙ୍କର ମାନସିକ ସ୍ଥିତି ଠିକ୍ ନଥିବା କଥା ସ୍ଥାନୀୟ ଲୋକମାନେ କହୁଛନ୍ତି। ମୃତକଙ୍କ ଝିଅଙ୍କ କହିବା ଅନୁସାରେ, ସେ ପାତ୍ରପଡାରେ ରହୁଥିବା ବେଳେ ଆଜି ସକାଳେ ତାଙ୍କ ବାପା ତାଙ୍କ ପାଖକୁ ଯାଇ ସୁନା ଗହଣା ସହ ଟଙ୍କା ଦେଇଥିଲେ। ତେବେ କିଛି ସମୟ ପରେ ପୋଲିସ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ, ଯାହା ପରେ ସେ ହତ୍ୟାକାଣ୍ଡ ବିଷୟରେ ଅବଗତ ହୋଇଥିଲେ।ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।













