ବ୍ରହ୍ମପୁର: ମାନବ ଚାଲାଣ ବିରୋଧୀ ଅଭିଯାନରେ ଜିଲ୍ଲା ପ୍ରଶାସନକୁ ମିଳିଛି ବଡ଼ ସଫଳତା ମିଳିଛି। ଗୁଜୁରାଟର ସୁରତକୁ ଚାଲାଣ କରାଯାଉଥିବା ବେଳେ ୪ ଜଣ ନାବାଳକଙ୍କୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରିଛି। ଏହି ଘଟଣାରେ ସଂପୃକ୍ତ ସନ୍ଦେହରେ ୨ ଜଣ ଦଲାଲଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁଯାୟୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଶ୍ରମ ବିଭାଗ ଏବଂ ପୋଲିସର ମିଳିତ ଚଢ଼ାଉ ସମୟରେ ଛତ୍ରପୁର ରେଳ ଷ୍ଟେସନରୁ ଏହି ୪ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ସେମାନଙ୍କୁ କାମ କରାଇବା ଉଦ୍ଦେଶ୍ୟରେ ଗୁଜୁରାଟର ସୁରତକୁ ନିଆଯାଉଥିବା ସନ୍ଦେହ କରାଯାଉଛି। ଉଦ୍ଧାର ହୋଇଥିବା ନାବାଳକମାନଙ୍କ ମଧ୍ୟରୁ ଜଣେ ଛତ୍ରପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୩ ଜଣ ପୁରୁଷୋତ୍ତମପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ପରାମର୍ଶ ଓ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ପଦକ୍ଷେପ ନିଆଯାଉଛି। ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ୨ ଜଣ ଦଲାଲଙ୍କୁ ପୋଲିସ ଅଟକ ରଖିଛି। ସେମାନଙ୍କୁ ପଚରାଉଚରା କରାଯାଉଥିବା ବେଳେ ଏହି ଚାଲାଣ ଚକ୍ରରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ତଦନ୍ତ ଜାରି ରହିଛି।









