ପୁରୀ: ଧାଡ଼ି ପହଣ୍ଡିରେ ଆସି ଠାକୁରେ ନିଜ ନିଜ ରଥରେ ବିରାଜମାନ ହୋଇଛନ୍ତି । ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଘଣ୍ଟ, ଘଣ୍ଟା, ମୃଦଙ୍ଗ ତାଳରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଛି । ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ସମ୍ପନ୍ନ ହୋଇଛି । ଭକ୍ତିମୟ ପରିବେଶରେ ଶ୍ରୀକ୍ଷେତ୍ର ଉଛୁଳୁଛି । ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନ ପହଣ୍ଡି ହୋଇ ଆସି ମା ସୁଭଦ୍ରାଙ୍କ ରଥ ଦର୍ପଦଳନ ଉପରେ ବିଜେ କରିଛନ୍ତି । ତାପରେ ବଡ଼ ଠାକୁର ବଳଭଦ୍ର ଧାଡ଼ି ପହଣ୍ଡିରେ ଆସି ତାଳଧ୍ଵଜ ରଥରେ ବିରାଜମାନ କରିଛନ୍ତି । ଦେବୀ ସୁଭଦ୍ରା ଶୂନ୍ୟ ପହଣ୍ଡିରେ ରଥାରୂଢ ହୋଇଛନ୍ତି । ଶେଷରେ କାଳିଆ ସାଆନ୍ତେ ଝୁଲିଝୁଲି ରଥାରୂଢ ହୋଇଛନ୍ତି । ବର୍ଷାକୁ ଖାତିର ନକରି ମହାପ୍ରଭୁଙ୍କ ବଡ଼ଜାତ ଦେଖିବାକୁ ଧାଇଁ ଆସିଛନ୍ତି ଭକ୍ତ । ଏହାପରେ ଗଜପତି ମହାରାଜ ଆସି ତିନି ରଥରେ ଛେରାପହଁରା କରିବେ । ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହେବ । ରଥ ଯାତ୍ରା ପାଇଁ ପ୍ରଶାସନିକ ସମୟ ଅନୁସାରେ ପ୍ରତ୍ୟୁଷରେ ମଙ୍ଗଳାଳତି, ମଇଲମ ଓ ତଡ଼ପ ଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ନୀତି ବଢ଼ି ବେଶ ଶେଷ ହୋଇଥିଲା । ଗୋପାଳବଲ୍ଲଭ ଓ ସକାଳଧୂପରେ ଖେଚୁଡ଼ି ଭୋଗ ସରିବା ପରେ ରଥ ପ୍ରତିଷ୍ଠା ହୋଇଛି । ଗଜପତି ଛେରାପହଁରା କରିବା ପରେ ରଥଟଣା ଅପରାହ୍ଣ ୪ଟାରେ ଆରମ୍ଭ ହେବ । ରଥ ଟଣା ଶେଷ ହେଲେ ରଥରେ ଠାକୁରଙ୍କ ଅନ୍ୟାନ୍ୟ ନୀତି ହେବ ।











