ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଗ୍ରାମପୁଞ୍ଜରେ ପଂଚାୟତ ଓ ମଣ୍ଡଳ ନିର୍ବାଚନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ l ହେଲେ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସହ ଆନ୍ଧ୍ରର ନିର୍ବାଚନୀ ପୋଷ୍ଟର ଚିରି ଫୋପାଡ଼ିବା ପରେ ଆନ୍ଧ୍ର ପୁଲିସ ଓ ପୁଲିଂ ପାର୍ଟି ବୁଧବାର ଦିନ କୋଟିଆ ଛାଡ଼ିଥିବା ଜଣାପଡ଼ିଛି l ଉପଜିଲ୍ଲାପାଳଙ୍କ ନେତୃତ୍ୱରେ କୋରାପୁଟ ଜିଲ୍ଲା ପ୍ରଶାସନ ଏବେ ସମଗ୍ର କୋଟିଆ ଅଂଚଳକୁ ପୁଣିଥରେ ନିଜ ଦଖଲକୁ ନେଇଛି। ସୀମାନ୍ତରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥତି ଏଡ଼ାଇବା ପାଇଁ ଆଉ ୮ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି। ଆଉ ଏସବୁ ମଧ୍ୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ପୁଣିଥରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିବାବେଳେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ ସରକାର ନଭେମ୍ବର ୫ତାରିଖରେ କୋଟିଆରେ ମଣ୍ଡଳ ଓ ପଂଚାୟତ ନିର୍ବାଚନ କରିବା ନିମନ୍ତେ ପୁଲିଂ ପାର୍ଟି ମୁତୟନ ସହ ଅନ୍ୟାନ୍ୟ ପ୍ରସ୍ତୁତି କରିସାରିଥିଲେ। ମାତ୍ର ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ ଓ କୋରାପୁଟ ଜିଲ୍ଲା ପ୍ରଶାସନର ଚାପ ପରେ ଏହି ପୁଲିଂ ପାର୍ଟି ଫେରିଯାଇଥିବା ଜଣାପଡ଼ିଛି। ଏପରିକି ରାଜ୍ୟର ସ୍ୱାର୍ଥ ସବୁଦଳର ନେତା ଓ କର୍ମୀମାନେ କୋଟିଆରେ ଏକଜୁଟ ହୋଇ ସୀମା ଜଗିଛନ୍ତି ଯାହାଫଳରେ କୋଟିଆରେ ନିର୍ବାଚନ ହେବାର ସମ୍ଭାବନା କ୍ଷୀଣ ଥିବା ସୂଚନା ମିଳିଛି।ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରହସନକୁ କୌଣସି ପରିସ୍ଥିତିରେ ବି ସଫଳ ହେବାକୁ ଦିଆଯିବ ନାହିଁ। ଆଇନ ଉଲ୍ଲଂଘନ କରୁଥିବା ଆନ୍ଧ୍ର ଅଧିକାରୀଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା ଦାଏର କରାଯାଇଛି ଓ ଏ ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ।












