କାଠମାଣ୍ଡୁ: କିଛିଦିନ ତଳେ ନେପାଳରେ ଗ୍ଲେସିୟର ହ୍ରଦ ଫାଟି ଭୟଙ୍କର ଫ୍ଲାସ୍ ଫ୍ଲଡ୍ ହୋଇଥିଲା । ଏବେ ଭୁଟାନରେ ଗ୍ଲେସିୟର ହ୍ରଦ ଫାଟିବା ପରେ ଉତ୍ତର ବଙ୍ଗର ବିଭିନ୍ନ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି । ଲେମଥାଙ୍ଗ ଅଞ୍ଚଳରେ ଥିବା ଶିତାଂଫୁ ଗ୍ଲେସିୟର ହ୍ରଦ ଫାଟିବା ଯୋଗୁଁ ପାଣି ମୋଫୁ ନଦୀ ଦେଇ ଭାରତର ସଂକୋଶ ନଦୀ ଆଡ଼କୁ ପ୍ରବାହିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗର ଆଲିପୁରଦ୍ୱାର, ଜଳପାଇଗୁଡ଼ି ଓ ଦାର୍ଜିଲିଂ ସମେତ ଉତ୍ତର ବଙ୍ଗର ଅନେକ ଜିଲ୍ଲାରେ ସତର୍କତା ଜାରି କରାଯାଇଛି । ଭୁଟାନର ଶିତାଂଫୁ ହ୍ରଦରୁ ପାଣି ଆସୁଥିବା ଖବର ପରେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପ୍ରଶାସନ ପକ୍ଷରୁ ସତର୍କତା ବଢ଼ାଯାଇଛି । ପଶ୍ଚିମବଙ୍ଗର ମନ୍ତ୍ରୀ ନିଶିଥ ପ୍ରମାଣିକ ଓ ମନୋଜ କୁମାର ଓରାଓଁ ସଂକୋଶ ନଦୀ କୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଅପିଲ୍ କରିଛନ୍ତି । ଏହା ସହିତ ବିପର୍ଯ୍ୟୟ ପରିଚାଳନା ବିଭାଗ, NDRF ଏବଂ SDRFକୁ ସତର୍କ ରଖାଯାଇଛି । ଗୁରୁବାର ରାତିଠାରୁ ଭୁଟାନର ଅତ୍ୟନ୍ତ ସମ୍ବେଦନଶୀଳ ଶିତାଂଫୁ ହ୍ରଦରୁ ଦ୍ରୁତ ଗତିରେ ଜଳ ପ୍ରବାହିତ ହେଉଛି । ଉତ୍ତର ବଙ୍ଗର ସଂକୋଶ ନଦୀ ଏବଂ ଏହାର ଶାଖାନଦୀଗୁଡ଼ିକର ଅବବାହିକାରେ ରହୁଥିବା ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି । ଦାର୍ଜିଲିଂ ପାହାଡ଼ିଆ ଅଞ୍ଚଳ, ତରାଇ ଓ ଡୁଆର୍ସ ଅଞ୍ଚଳର ବାସିନ୍ଦାଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here