ଭୁବନେଶ୍ୱର: ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସାମାଜିକ କର୍ମୀ ପ୍ରକାଶ ଚନ୍ଦ୍ର ଦାସ, ସୂଚନା କର୍ମୀ ଶ୍ରୀକାନ୍ତ ପାକଳ ଓ ଓକିଲ ସୁଧୀର ମହାନ୍ତି ମିଳିତ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଅଧିକାର ଆଇନ ଜରିଆରେ ମିଳିଥିବା ତଥ୍ୟ ଆଧାରରେ ବବି, କୁଟ୍ଟେ ଓ ଆଶୀଷ ସିଂଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ,୨୦୨୪ ନିର୍ବାଚନ ସମୟରେ ଅନାବଶ୍ୟକ ପ୍ରଶାସନିକ ହସ୍ତକ୍ଷେପ ଯୋଗୁଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ନିଲମ୍ବିତ ହୋଇଥିବା ଦୁଇ ଆଇପିଏସ୍ ଶ୍ରୀ କୁଟେ ଓ ନୋଟିସ ପାଇଥିବା ଶ୍ରୀ ସିଂହଙ୍କ ବିରୋଧରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଚାର୍ଜସିଟ ଓ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିଲା। ତେବେ ଦୀର୍ଘ ସମୟ ବିତିଯାଇଥିଲେ ବି ଉଭୟ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଚୂଡ଼ାନ୍ତ ହୋଇପାରିନାହିଁ। ଓଲଟି ସେମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇଦିଆଯିବା ଓ କୋହଳ ମନୋଭାବ ପୋଷଣ କରାଯିବା ପ୍ରଶାସନିକ ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଓଡ଼ିଶା ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଆସିଥିଲେ ବି ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ସେହିପରି ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ବବିଙ୍କ ବିରୋଧରେ ସରକାରୀ ବାସଭବନରେ ବେଆଇନ ଭାବେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କାର୍ଯ୍ୟ କରିବା ନେଇ ଗୁରୁତର ଅଭିଯୋଗ ଉଠିଛି। ନିଜର ଆୟକର ଓ ନିର୍ବାଚନୀ ସତ୍ୟପାଠରେ ୫ ବର୍ଷରେ ମୋଟ ରୋଜଗାର ମାତ୍ର ୧୧ ଲକ୍ଷ ଟଙ୍କା ଦର୍ଶାଇ ଥିବାବେଳେ ସରକାରୀ ଘର ଭାଙ୍ଗି ସୁଇମିଂ ପୁଲ୍ ଓ ଆଲିଶାନ ଅଟ୍ଟାଳିକା ନିର୍ମାଣ ପାଇଁ କୋଟି କୋଟି ଟଙ୍କା କେଉଁଠୁ ଆସିଲା ବୋଲି ପ୍ରଶ୍ନ କରାଯାଇଛି। ଏହି ବେଆଇନ ନିର୍ମାଣ ନେଇ ଗଠିତ ସରକାରୀ ତଦନ୍ତ କମିଟି ନିଜର ରିପୋର୍ଟ ସରକାରଙ୍କ ଜିଏ ବିଭାଗକୁ ହସ୍ତାନ୍ତର କରିସାରିଥିଲେ ସୁଦ୍ଧା ସରକାର ଏପର୍ଯ୍ୟନ୍ତ ବବିଙ୍କ ବିରୋଧରେ କୌଣସି ଆକ୍ସନ ନେଉନାହାନ୍ତି। ତେଣୁ ଯଦି ସରକାର ନିଜର ପ୍ରତିଶ୍ରୁତି ଅନୁଯାୟୀ ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ ନକରନ୍ତି ଓ ଆଗାମୀ ୧୫ ଦିନ ଭିତରେ ଏହି ଦୁଇ ଆଇପିଏସ ଅଫିସରଙ୍କ ସମେତ ବବିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନିଅନ୍ତି, ତେବେ ଆଗାମୀ ଦିନରେ ଅଦାଲତରେ ନ୍ୟାୟିକ ଲଢ଼େଇ ସହ ରାଜରାସ୍ତାରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସିଭିଲ ସୋସାଇଟିର ଏହି ସଦସ୍ୟମାନେ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here