ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନରେ ଥିବା ଜାତୀୟ ରାଜପଥ-୧୮ର ପଦ୍ମନାଭପୁର ଛକ ନିକଟରେ ରାସ୍ତା କଡ଼ରେ ପାର୍କିଂ କରାଯାଇଥିବା ଏକ କାର୍ ଭିତରୁ ଜଣେ ୪୫ ବର୍ଷୀୟ ପୋଲିସ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ କନଷ୍ଟେବଳଙ୍କ ପରିଚୟ ମିଳିବା ପରେ ସ୍ଥାନୀୟ ଅଞ୍ଚଳ ଓ ପୋଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି। ମୃତ ପୋଲିସ କନଷ୍ଟେବଳ ହେଉଛନ୍ତି ଝାରପୋଖରିଆ ଅଞ୍ଚଳର ବସନ୍ତ ମହାନ୍ତ। ସେ ୨୦୦୨ ମସିହାରେ ଓଡ଼ିଶା ପୋଲିସରେ ଯୋଗ ଦେଇଥିଲେ ଏବଂ ବର୍ତ୍ତମାନ ବୈଶିଙ୍ଗା ଥାନାରେ କାର୍ଯ୍ୟରତ ଥିଲେ। ପୋଲିସ ସୂଚନା ଅନୁସାରେ, ସୋମବାର ସକାଳ ପ୍ରାୟ ୧୧ଟା ସମୟରୁ ଏକ ଲାଲ୍ ରଙ୍ଗର କାର୍ ରାସ୍ତା କଡ଼ରେ ଠିଆ ହୋଇ ରହିଥିଲା। ଦୀର୍ଘ ସମୟ ଧରି ଗାଡ଼ିଟି ଗୋଟିଏ ସ୍ଥାନରେ ରହିବା ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ବଢ଼ିଥିଲା। ଅପରାହ୍ନରେ ସ୍ଥାନୀୟ ଲୋକେ ଗାଡ଼ି ପାଖକୁ ଯାଇ ଦେଖିଥିଲେ ଯେ, ଡ୍ରାଇଭିଂ ସିଟ୍ରେ ବସନ୍ତ ମହାନ୍ତ ପଡ଼ିଥିଲେ । ଏହାପରେ ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବୈଶିଙ୍ଗା ଥାନାର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରିଚୟ ନିଶ୍ଚିତ ହେବା ପରେ ପୋଲିସ ମୃତଦେହକୁ ଉଦ୍ଧାର କରି ବୈଶିଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (PHC) କୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ପରିବାର ଲୋକ ଏବଂ ଥାନାର ଅନ୍ୟ କର୍ମଚାରୀମାନେ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ। ଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତ୍ୟୁର ସମସ୍ତ ଦିଗକୁ ନେଇ ତଦନ୍ତ କରାଯାଇଛି |













