ଇସଲାମାବାଦ: ସିନ୍ଧୁ ନଦୀ ଜଳ ଚୁକ୍ତିକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିବା ବେଳେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଭାରତକୁ ସିଧାସଳଖ ଯୁଦ୍ଧ ଧମକ ଦେଇଛନ୍ତି। ଭାରତ ଯଦି ପାକିସ୍ତାନକୁ ଆସୁଥିବା ନଦୀ ପାଣି ବନ୍ଦ କରେ, ତେବେ ଇସଲାମାବାଦ ସାମରିକ ପଦକ୍ଷେପ ଗ୍ରହଣ କରିବା ସହ ଭାରତ ବିରୋଧରେ ଯୁଦ୍ଧ ଘୋଷଣା କରିବ ବୋଲି ସେ ଚେତାବନୀ ଦେଇଛନ୍ତି।ଏକ ପାକିସ୍ତାନୀ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପ୍ରତିରକ୍ଷା ମନ୍ତ୍ରୀ ଆସିଫ୍ କହିଛନ୍ତି, “ନଦୀ ଜଳ ସୁରକ୍ଷା ହେଉଛି ଆମର ଜାତୀୟ ସୁରକ୍ଷାର ଏକ ପ୍ରମୁଖ ଅଂଶ। ଯେଉଁ ମୁହୂର୍ତ୍ତରେ ଆମେ ଅନୁଭବ କରିବୁ ଯେ ଭାରତ ଆମ ଜଳ ଯୋଗାଣରେ ବାଧା ସୃଷ୍ଟି କରୁଛି, ସେହି ସମୟରେ ଆମେ ନିଶ୍ଚିତ ଭାବେ ଭାରତ ବିରୋଧରେ ଯୁଦ୍ଧକୁ ଓହ୍ଲାଇବୁ।” ନଦୀ ପାଣି ପ୍ରବାହକୁ ରୋକିବା ପାଇଁ ଭାରତ କୌଣସି ପ୍ରକାରର ଡ୍ୟାମ୍ କିମ୍ବା ଟନେଲ୍ ନିର୍ମାଣ କଲେ ତାକୁ ପାକିସ୍ତାନ ଧ୍ୱଂସ କରିଦେବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରର ପହଲଗାମଠାରେ ପାକିସ୍ତାନ ପ୍ରାୟୋଜିତ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ଭାରତୀୟ ପ୍ରାଣ ହରାଇବା ପରେ ନୂଆଦିଲ୍ଲୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲା। ଭାରତ ସ୍ପଷ୍ଟ କରିଦେଇଥିଲା ଯେ ପାକିସ୍ତାନ ସୀମାପାର ଆତଙ୍କବାଦକୁ ପାଣ୍ଠି ଯୋଗାଇବା ବନ୍ଦ ନକରିବା ପର୍ଯ୍ୟନ୍ତ ୧୯୬୦ ମସିହାର ସିନ୍ଧୁ ନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖାଯିବ। ଏହା ସହ ୨୦୨୮ ଜୁନ୍ ସୁଦ୍ଧା ପାକିସ୍ତାନକୁ ଯାଉଥିବା ସିନ୍ଧୁ ନଦୀର ପାଣି ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରେ ବୋଲି ଭାରତର କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସଙ୍କେତ ଦେଇଥିଲେ।

LEAVE A REPLY

Please enter your comment!
Please enter your name here