ଭୁବନେଶ୍ୱର: କଟକ ଏସସି/ ଏସଟି କୋର୍ଟ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଅଭିଯୁକ୍ତ ମନୋଜ ପାଢୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ | ସୂଚନାଥାଉକି, ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀଙ୍କୁ ପ୍ରଥମରୁ ଅଷ୍ଟମ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଦୀର୍ଘ ଘଣ୍ଟା ଧରି ଜେରା କରାଯିବା ପରେ ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ମନୋଜ ପାଢୀ ବହି ଗୁଡିକର ତଥ୍ୟଗତ ବୈଜ୍ଞାନିକ , ଭୌଗୋଳିକ ଏବଂ ଚିତ୍ର ସମ୍ପର୍କିତ ତ୍ରୁଟିଗୁଡିକୁ ସଠିକ ଭାବରେ ଯାଞ୍ଚ ନକରି ଜାଣି ଶୁଣି ପ୍ରିଣ୍ଟିଂ ପାଇଁ ଅନୁମୋଦନ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ପୂର୍ବରୁ ସରକାର ମନୋଜ ପାଢୀଙ୍କ ସମେତ ତିନି ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରିଥିଲେ । ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା । ଏହି ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମଙ୍ଗଳବାର ବଡ଼ ବୟାନ ଦେଇ କହିଛନ୍ତି ଯେ, ସମ୍ପୂର୍ଣ୍ଣ ପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟାରେ ଜଣେ କିମ୍ବା ଦୁଇଜଣ ନୁହନ୍ତି, ୨୪୦ ଜଣ ସାମିଲ ରହିଛନ୍ତି। ପୁସ୍ତକ ପ୍ରସ୍ତୁତିଠାରୁ ଆରମ୍ଭ କରି ଡିଟିପି ଓ ଡିଜାଇନ୍‌, ଛପାଯିବା, ପ୍ରକାଶନ, ବଣ୍ଟନ ପରି ବହୁତ ବଡ଼ ପ୍ରକ୍ରିୟା ହୋଇଥିବାରୁ ତାହାର ଯାଞ୍ଚ କରିବାକୁ ସମୟ ଲାଗୁଛି। ବିଭିନ୍ନ ଦାୟିତ୍ବରେ ଥିବା ବ୍ୟକ୍ତିବିଶେଷଙ୍କର କେଉଁ ଭଳି ଭୂମିକା ରହିଥିଲା ତାହାର ମଧ୍ୟ ଅନୁଧ୍ୟାନ ଚାଲିଛି। କ୍ରାଇମବ୍ରାଞ୍ଚର ଏକାଧିକ ଟିମ୍‌ ଏହାକୁ ଅନୁଧ୍ୟାନ କରୁଛନ୍ତି ବୋଲି ଡିଜି ଶ୍ରୀ ମିଶ୍ର ଗଣମାଧ୍ୟମକୁ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here