ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡିକୁ ଲାଗିଛି ବଡ଼ ଝଟକା। ଜୟ ଢୋଲକିଆଙ୍କ ବିଜେପିରେ ଯୋଗଦାନ ପରେ ଦଳକୁ ମିଳିଛି ଝଟକା । ଦୀର୍ଘ ୨୪ ବର୍ଷର ଶାସନରେ ଥିବା ଦଳ ଏବେ ପ୍ରାର୍ଥୀ ସଂକଟ ସମସ୍ୟାର ସମ୍ମୁଖୀନ ହେଉଛି। ସ୍ଥିତି ଅନୁମାନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାମାନଙ୍କୁ ନୂଆପଡ଼ା ଯାଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ — ଏହି ନେଇ ଦଳ ମଧ୍ୟରେ ଦେଖା ଦେଇଛି ସଙ୍କଟ। ବିଜେଡ଼ି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ଯୋଗ ଦେବା ପରେ ବିଜେଡିର ସମସ୍ୟା ବଢ଼ି ଯାଇଛି । ଚର୍ଚ୍ଚା ହେଉଛି ନୂଆପଡ଼ାର ବିଜେଡି ନେତା ଭାନୁ ପ୍ରତାପ ସିଂ ମାଝୀ, ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ଅବନୀ ଯୋଶୀ ଓ ପୂର୍ବତନ ମନ୍ତ୍ରୀ ଘାସୀରାମ ମାଝୀଙ୍କ ଝିଅ ସରୋଜିନୀ ମାଝୀଙ୍କ ଭିତରୁ ପ୍ରାର୍ଥୀ କରିପାରେ ଦଳ । ସେପଟେ ବରିଷ୍ଠ ନେତାଙ୍କୁ ନେଇ ଏକ ଟିମ୍ ଗଠନ କରିବା ସହ ନୂଆପଡ଼ା ଗସ୍ତକରି ୧୪ ତାରିଖ ସୁଦ୍ଧା ରିପେୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।











