ନୂଆଦିଲ୍ଲୀ(ଏଜେନ୍ସି): ଯଦି ପ୍ରକୃତରେ ଘଟିଥିବା ଘଟଣା ପାଇଁ ନିଜକୁ ଲଜ୍ଜିତ ମନେ କରୁଥାଅ, ତେବେ ଭାଷଣବାଜି ବନ୍ଦ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ । ଏହାଥିଲା ଜେଡିୟୁ ନେତା ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପ୍ରତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଶାଣିତ କଟାକ୍ଷ । ଦିନକ ପୂର୍ବେ ମୁଜାଫରପୁର ସ୍ଥିତ ସରକାରୀ ଆଶ୍ରୟସ୍ଥଳୀ (ସେଲଟର ହୋମ୍)ରେ ରହୁଥିବା ୪୨ଜଣ ଅନ୍ତେବାସିନୀଙ୍କ ମଧ୍ୟରୁ ୩୪ଜଣଙ୍କୁ ଦୁଷ୍କର୍ମ କରାଯିବା ଘଟଣାରେ ନୀତିଶ ପ୍ରଥମଥର ପାଇଁ ମୁହଁ ଖୋଲିଥିଲେ । ନୀତିଶ ଏହି ଘଟଣାକୁ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏତଦ୍ବ୍ୟତୀତ ଏହି ମାମଲାରେ ସିବିଆଇ ତଦନ୍ତ କରାଯିବ ବୋଲି ମଧ୍ୟ କହିଥିଲେ । ଏହାର କିଛି ଘଣ୍ଟା ମଧ୍ୟରେ ରାହୁଲଙ୍କ ଏପ୍ରକାର ମନ୍ତବ୍ୟ ଆସିବା ନୀତିଶଙ୍କ ପ୍ରତି ସମାଲୋଚନା ବୋଲି ମନେକରାଯାଉଛି ।

ମୁଜାଫରପୁର ସେଲଟର ହୋମ୍ ଦୁଷ୍କର୍ମ ମାମଲାରେ ବର୍ତ୍ତମାନ ସୁଦ୍ଧା ଚୁପ୍ ରହିଥିବା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇସ୍ତଫା ଦାବି କରି ଲାଲୁ ପ୍ରସାଦ ଯାଦବଙ୍କ ଦଳ ଆରଜେଡି ପକ୍ଷରୁ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ରାହୁଲ ଗାନ୍ଧି ଯୋଗଦେଇ ନୀତିଶ ଓ ନୀତିଶଙ୍କ ଜେଡିୟୁ ସରକାରକୁ ତୀବ୍ର ଭର୍ତ୍ସନା କରିବା ସହ କେନ୍ଦ୍ର ସରକାର ବିରୋଧରେ ମଧ୍ୟ ଟିପ୍ପଣୀ ଦେଇଥିଲେ । ରାହୁଲ କହିଥିଲେ ଯେ, ବିଜେପି ସରକାର ଗୋଟିଏ ପଟେ ଛିଡା ହୋଇ ଅନ୍ୟପଟେ ଦେଶକୁ  ଛିଡ଼ା କରାଇଦେଇଛି । ବିଜେପି ସରକାର ଦେଶପାଇଁ ନୁହେଁ ବରଂ ଯାହା କିଛି କରୁଛି କେବଳ ନିଜ ସ୍ୱାର୍ଥ ପାଇଁ । ସେହିପରି ୨ଠ୧୯ରେ ବିରୋଧୀ ଏକତାର ସ୍ପଷ୍ଟ ସଙ୍କେତ ଦେଇ ରାହୁଲ କହିଛନ୍ତି ଯେ, ଯାହାକିଛି ହେବ ପୂରା ଭାରତବାସୀ ଦେଖିବେ । ସେହିପରି ଏହି କାର୍ଯ୍ୟକ୍ରମରେ ଆମ୍ ଆଦ୍ମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଯୋଗଦେଇଥିଲେ । ସେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ୪ଠ ଝିଅ ସହିତ ଅନେକ ବର୍ଷ ଧରି ଭୁଲ କାମ ହୋଇ ଆସୁଥିଲା । ସେମାନଙ୍କ ଉପରେ ଅମାନବୀୟ ଅତ୍ୟାଚାର ହେଉଥିଲା । ଦୁଃଖର କଥା ଯେ ବିହାର ସରକାରଙ୍କ ନଜରରେ ଏହି ଘଟଣା ଆସିପାରିଲା ନାହିଁ । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବଦଳରେ ଓଲଟା ତାଙ୍କ ଏନ୍ଜିଓକୁ ସରକାରୀ ଅନୁଦାନ ପ୍ରଦାନ କରାଯାଉଥିଲା । ଏଥିରୁ ସ୍ପଷ୍ଟ ଯେ, ଏହି ଘଟଣାରେ ସରକାରଙ୍କ କିଛି ନେତା ମଧ୍ୟ ସାମିଲ ଅଛନ୍ତି ଏବଂ ଅଭିଯୁକ୍ତଙ୍କ ସହ ସେମାନଙ୍କ ସମ୍ପର୍କ ରହିଛି । ତେଣୁ ଏହି ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ହେବା ନିହାତି ଜରୁରି । ମାମଲାର ତଦନ୍ତ ୩ ମାସ ମଧ୍ୟରେ କରାଯାଇ ଦୋଷୀକୁ ଫାଶି ଦିଆଯାଉ ବୋଲି ସେ କହିଥିଲେ । ତେବେ କେନ୍ଦ୍ର ସରକାରଙ୍କ ବିରୋଧରେ କେଜରିୱାଲ ବିଶେଷ କିଛି କହିନଥିଲେ ।

ଶନିବାର ରାଜଧାନୀ ନୂଆଦିଲ୍ଲୀର ଜନ୍ତରମନ୍ତର ଠାରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇ ନୀତିଶ ଓ ବିଜେପି ସରକାର ବିରୋଧରେ ସ୍ଲୋଗାନବାଜି କରାଯାଇଥିଲା । ଆରଜେଡି ନେତା ତେଜେଶ୍ୱର ଯାଦବ ଏହି ସମାବେଶର ନେତୃତ୍ୱ ଗ୍ରହଣ କରିଛନ୍ତି । ଅନ୍ୟପଟେ ଆରଜେଡି ପକ୍ଷରୁ ଆୟୋଜିତ ଜେଡିୟୁ ସରକାର ବିରୋଧୀ ମଞ୍ଚରେ ବିରୋଧୀଙ୍କ ଏକତା ଦେଖିବାକୁ ମିଳିଛି । ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସମର୍ଥନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ବାମପନ୍ଥୀ ନେତା ଡି. ରାଜା, ସୀତାରାମ ୟେଚୁରୀ, ଟିଏମ୍ସିର ଦିନେଶ ତ୍ରିବେଦୀ, ଶରଦ ଯାଦବ, ସଞ୍ଜୟ ସିଂହ, ଜୀତନରାମ ମାଞ୍ଝି, କହ୍ନେୟା କୁମାରଙ୍କ ସମେତ ବିରୋଧୀ ଦଳର ଅନେକ ନେତା ମଞ୍ଚ ଉପରେ ଏକାଠି ହୋଇଥିଲେ ।

LEAVE A REPLY

Please enter your comment!
Please enter your name here