ୱାଶିଂଟନ୍(ଏଜେନ୍ସି): ଆମେରିକା ପକ୍ଷରୁ ଭାରତକୁ ଷ୍ଟ୍ରାଟେଜିକ ଟ୍ରେଡ୍ ଅଥରାଇଜେସନ ବା ସାମରିକ ବ୍ୟାପାର ପ୍ରାଧିକରଣ-୧ (ଏସଟିଏ) ମାନ୍ୟତା ଦିଆଯାଇଛି । ଫଳରେ ସମଗ୍ର ଦକ୍ଷିଣ ଏସିଆ ରାଷ୍ଟ୍ର ସମୂହଙ୍କ ମଧ୍ୟରେ ସର୍ବପ୍ରଥମ ତଥା ଏସିଆ ସମୂହ ରାଷ୍ଟ୍ରଙ୍କ ମଧ୍ୟରେ ତୃତୀୟ ରାଷ୍ଟ୍ର ହୋଇପାରିଛି । ଆମେରିକା ପକ୍ଷରୁ ଏପ୍ରକାର ମାନ୍ୟତା ମିଳିବା ପରେ ଭାରତକୁ ଏଣିକି ଆମେରିକା ପକ୍ଷରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଜ୍ଞାନକୌଶଳ ଆଦି ପାଇବା ସହଜ ହୋଇପାରିବ । ଏହା ପୂର୍ବରୁ ଆମେରିକା ପକ୍ଷରୁ ଜାପାନ ଓ ଦକ୍ଷିଣକୋରିଆକୁ ଏହି ମାନ୍ୟତା ପ୍ରଦାନ କରାଯାଇସାରିଛି ।

ଆମେରିକା ପକ୍ଷରୁ ନାଟୋ ସହଯୋଗୀ ରାଷ୍ଟ୍ରଙ୍କ ମଧ୍ୟରୁ ପର୍ଯ୍ୟାୟକ୍ରମେ କେତେକଙ୍କୁ ଏସଟିଏ ୧ ମାନ୍ୟତା ପ୍ରଦାନ କରାଯାଇଥାଏ । ବିଶେଷକରି ପରମାଣୁ ଯୋଗାଣକାରୀ ଗୋଷ୍ଠୀ ସଦସ୍ୟତା ଲାଭ କରିଥିବା ରାଷ୍ଟ୍ର, ଅଷ୍ଟ୍ରେଲିଆ ଗୋଷ୍ଠୀ ସଦସ୍ୟତା ଲାଭ କରିଥିବା ରାଷ୍ଟ୍ରଙ୍କୁ ଆମେରିକା ଏହି ମାନ୍ୟତା ପ୍ରଦାନ କରିଥାଏ । ତେବେ ଭାରତ, ଆଜି ପର୍ଯ୍ୟନ୍ତ ଏହି ମାନ୍ୟତା ପାଇବାକୁ ବଞ୍ଚିତ ରହିଥିବା ବେଳେ ଏବେ ଆମେରିକା ପକ୍ଷରୁ ଭାରତକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି । ଏଥିସହ ବିଶ୍ୱର ୩୭ତମ ଦେଶ ଭାବେ ଭାରତ ଆମେରିକାର ଏସଟିଏ-୧ ତାଲିକାରେ ସ୍ଥାନ ହାସଲ କରିଛି । ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ଏସଟିଏ ମାନ୍ୟତା ସହ ଭାରତକୁ ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ରାଷ୍ଟ୍ରର ମାନ୍ୟତା ମିଳିଛି ଓ ଆମେରିକାଠାରୁ ଡ୍ରୋନ ବିମାନ ସମେତ ଅନ୍ୟ ଅତ୍ୟାଧୁନିକ ଅସ୍ତ୍ର ଆମଦାନୀ କରିବା ଉପରୁ ସମସ୍ତ ସରକାରୀ ନିୟନ୍ତ୍ରଣ ଏବଂ କଟକଣାର ଅନ୍ତ ଘଟିଛି ।

ପ୍ରକାଶ ଯୋଗ୍ୟ ଯେ, ୨ଠ୧୬ରେ ଆମେରିକା ଭାରତକୁ ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ମାନ୍ୟତା ପ୍ରଦାନ କରିଥିଲା । ଏହାପରେ ଚଳିତ ବର୍ଷ ଭାରତକୁ ଆମେରିକା ଏସ୍ଟିଏ-୧ ମାନ୍ୟତା ପ୍ରଦାନ କରିଛି । ଏହି ମାନ୍ୟତା ପାଇବା କ୍ଷେତ୍ରରେ ଭାରତକୁ ଏକ ବିଶେଷ ଦେଶ ଭାବେ ଗଣାଯାଉଛି । କାରଣ ଭାରତ ଏପର୍ଯ୍ୟନ୍ତ ଆଣବିକ ଯୋଗାଣକାରୀ ଗୋଷ୍ଠୀ (ଏନଏସଜି) ସଦସ୍ୟତା ହାସଲ କରିପାରିନାହିଁ । ଚୀନ ବିରୋଧ ଯୋଗୁଁ ଭାରତ ଏନ୍ଏସଜିର ସଦସ୍ୟତା ଲାଭ କରିପାରୁନାହିଁ । ଭାରତକୁ ପ୍ରମୁଖ ସହଯୋଗୀର ମାନ୍ୟତା ଦେଇ ଆମେରିକା ଚୀନକୁ ଏକ ବଡ଼ ଝଟକା ଦେଇଥିବା କୁହାଯାଇପାରେ । ଏନ୍ଏସଜି ଗ୍ରୁପରେ ସାମିଲ ନହୋଇ ମଧ୍ୟ ଭାରତ ଅନ୍ୟ ଏନ୍ଏଜି ସଦସ୍ୟ ରାଷ୍ଟ୍ରଙ୍କ ଭଳି ସବୁ ସୁବିଧା ସୁଯୋଗ ପାଇପାରିବ । ଯାହା ଉଭୟ ଚୀନ୍ ଓ ପାକିସ୍ତାନ ପାଇଁ ମୁଖ୍ୟ ଚିନ୍ତାର ବିଷୟ ସାଜିବ ।

LEAVE A REPLY

Please enter your comment!
Please enter your name here