ଭୋଲେ ବାବା ପାର କରେଗା ,ଡମ୍ବୁରୁଧାରୀ ପାର୍ କରେଗା ଏମିତି ନାନାଦି ଡାକରେ ରାସ୍ତାଘାଟ ଫାଟିପଡୁଥାଏ ଶ୍ରାବଣ ମାସ ସାରା । କାରଣ ଏହି ମାସରେ ଦେବ ଦେବ ମହାଦେବଙ୍କୁ ପ୍ରଶନ୍ନକରିବାକୁ ଭକ୍ତମାନେ କାହିଁ କେତେ ଦୁରରୁ ଜଳଭାର ନେଇ ଧାଇଁ ଆସନ୍ତି । କିନ୍ତୁ ଏହି ବୋଲବମ୍ ଯାତ୍ରାଯେ ଜୀବନର ଶେଷ ଯାତ୍ରାହେବ ତାହା କାହାକୁ ଜଣା ନଥିଲା । ଏମିତି ଏକ ଘଟଣା ଘଟିଛି ମୟୁରଭଞ୍ଜର ବାଙ୍ଗିରିପୋଷି ଅଞ୍ଚଳରେ । ମୟୁରଭଞ୍ଜର ବାଙ୍ଗିରପୋଷି ଅଞ୍ଚଳରେ ଦୁର୍ଘଟଣା ବଢିବାରେ ଲାଗିଛି ।ଦ୍ୱାରଶୁଣି ଘାଟି ମରଣଯନ୍ତା ପାଲଟିଛି । ପ୍ରତ୍ୟେକ ଦିନ ଘଟିଚାଲିଛି ଦୁର୍ଘଟଣା । ଗତକାଲି ମଧ୍ୟରାତ୍ରୀରେ ଘଟିଯାଇଛି ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ଦୁର୍ଘଟଣାରେ ଦୁଇ ବୋଲବମ୍ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ବାଙ୍ଗିରପୋଷି ବଜାରରୁ ଏକ ବୋଲେରୋ ଗାଡିରେ ଗୁପ୍ତେଶ୍ୱର ଶିବ ମନ୍ଦିରକୁ ଜଳଲାଗି କରିବାକୁ ଯାଉଥିଲେ ସ୍ଥାନୀୟ ଅଞ୍ଚଳର କିଛି ଭକ୍ତ । ବୋଲେରୋଟି ଦ୍ୱାରଶୁଣି ଘାଟି ଚଢୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ସାମ୍ନାସାମ୍ନି ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଲରୁ ପ୍ରାୟ ୧୦୦ ଫୁଟ ଦୂରକୁ ଘୋଷାଡି ହୋଇଯାଇଥିଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ବୋଲେରୋ ଗାଡି ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୧୦ରୁ ଉର୍ଦ୍ଧ ଆହତ ହୋଇଥିଲେ । ମୃତ ଦୁଇଜଣ ରଞ୍ଜିତ ସାହୁ ଏବଂ ଶିବ ସାହୁ ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ଖବର ପାଇ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିଥିଲା ।