ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଥିବା ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ଦେବେ ଅଗ୍ନି ପରୀକ୍ଷା | ମହାରାଷ୍ଟ୍ରର ମହାନାଟକ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଥିବା ବେଳେ ଆସନ୍ତାକାଲି ସନ୍ଧ୍ୟା ୫ଟା ପୂର୍ବରୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ଫଡ଼ନାଭିସ | ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରି ବିଧାୟକମାନଙ୍କ ଶପଥ ଗ୍ରହଣ ପରେ ବହୁମତ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ | ଏବଂ ଫ୍ଲୋର ଟେଷ୍ଟର ହେବ ସିଧା ପ୍ରସାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଫ୍ଲୋର ଟେଷ୍ଟରେ କୌଣସି ଗୁପ୍ତ ମତଦାନ ହେବ ନାହିଁ | ଅର୍ଥାତ ଖୋଲାଖୋଲି ଭୋଟ୍ ଦେବେ ବିଧାୟକ | ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି |
ଶନିବାର ଭୋର ସମୟରେ ଦେବେନ୍ଦ୍ର ଫଡ଼ନାଭିସ ଏନସିପି ନେତା ଅଜିତ ପାୱାରଙ୍କୁ ଧରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଥିଲେ | ଏହାକୁ ବିରୋଧ କରି ତୁରନ୍ତ ଆସ୍ଥା ଭୋଟ ଦାବିରେ ଶିବସେନା-ଏନସିପି ଓ କଂଗ୍ରେସ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ | ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ | ପ୍ରଥମେ ରବିବାର ଓ ସୋମବାର ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ସକାଳ ୧୦.୩୦ରେ କୋର୍ଟ ନଂ୨ରେ ଜଷ୍ଟିସ୍ ରମନ୍ନା ରାୟ ଶୁଣାଇ ଥିଲେ |