ଆମେରିକାର ଏୟାରଷ୍ଟ୍ରାଇକରେ ଇରାନର ମେଜର ଜେନେରାଲ କ୍ବାସିମ ସୁଲେମାନୀଙ୍କ ନିହତ ହେବା ଘଟଣାର ପ୍ରତିଶୋଧ ନେବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି I କୋମ୍ ସହରରେ ଥିବା ପ୍ରାଚୀନ ଜାମକାରାନ ମସଜିଦ ଉପରେ ଇରାନ ଲାଲ୍ ପତାକା ଉତ୍ତୋଳନ କରି ଆମେରିକା ଉପରେ ଆକ୍ରମଣର ସଂକେତ ଦେଇଛି I ଇତିହାସରେ ପ୍ରଥମ ଥର ପାଇଁ ଇରାନ ଏଭଳି ଲାଲ୍ ପତାକା ଉତ୍ତୋଳନ କରି ଆମେରିକା ବିରୋଧରେ ଯୁଦ୍ଧ ଘୋଷଣା କରିଛି I 680 ଖ୍ରୀଷ୍ଟାବ୍ଦରେ କାରବାଲ ଯୁଦ୍ଧରେ ଇମାମ ହୁସେନ ସହିଦ ହେବା ପରେ କାରବାଲରେ ଏମିତି ପତାକା ଉତ୍ତୋଳନ ହୋଇଥିଲା I ଏଭଳି ପତାକା ଉତ୍ତୋଳନର ସଂକେତ ହେଉଛି, ଶତ୍ରୁ ଉପରେ ପ୍ରତିଶୋଧ ନ ନେବା ଯାଏଁ ପତାକା ଅବନତ ହେବ ନାହିଁ I ସୁଲେମାନୀଙ୍କୁ ହତ୍ୟା କରିବା ପଛରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଯାହା ବି ସଫେଇ ଦେଇଛନ୍ତି, ସେଥିରେ ଇରାନ ପଛକୁ ହଟିବା ମନେ ହେଉନାହିଁ I ଆମେରିକା ଉପରେ ସିରିଜ ଆକ୍ରମଣ ପାଇଁ ସୁଲେମାନୀ ଷଡଯନ୍ତ୍ର କରୁଥିଲେ ବୋଲି ଟ୍ରମ୍ପ କହିଛନ୍ତି I ତେବେ ଇରାନ ଆକ୍ରମଣ କଲେ ତାର ଭୟଙ୍କର ପରିଣାମ ଭୋଗ କରିବାକୁ ପଡିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି I ଏହା ସହ ସୁଲେମାନୀ ନୂଆଦିଲ୍ଲୀ ଓ ଲଣ୍ଡନ ଉପରେ ଆକ୍ରମଣ ପାଇଁ ଷଡଯନ୍ତ୍ର କରୁଥିଲେ ବୋଲି କହି ଦୁଇଦେଶ ଭାରତ ଓ ଇଂଲଣ୍ଡକୁ ଇରାନ ବିରୋଧରେ ଆମେରିକାକୁ ସମର୍ଥନ କରିବାକୁ ପରୋକ୍ଷରେ କହିଛନ୍ତି I ତେବେ ଇରାନର କ୍ବମ ମସଜିଦ ଉପରେ ଲାଲ୍ ପତାକା ଉତ୍ତୋଳନ ସହ ଇରାନ ଯେକୌଣସି ମୁହୂର୍ତ୍ତରେ ଆମେରିକା ଉପରେ ଆକ୍ରମଣ କରିବା ପାଇଁ ସଙ୍କେତ ଦେଇଛି I ଆମେରିକା ମଧ୍ୟ ମଧ୍ୟପ୍ରାଚ୍ୟ ଦେଶରେ ସୈନ୍ୟ ଠୁଳ କରିବା ଆରମ୍ଭ କରିଦେଇଛି I କୁଏତରେ ସାଢେ ତିନିହଜାର ଆମେରିକୀୟ ସୈନ୍ୟ ଠୁଳ ହୋଇସାରିଛନ୍ତି I ଟ୍ରମ୍ପ କହିଛନ୍ତି, ଯଦି ଇରାନ ଆମେରିକୀୟ ସଂପତ୍ତି କି ଆମେରିକୀୟ ନାଗରିକଙ୍କ ଉପରେ ଆକ୍ରମଣ କରେ, ତେବେ ଆମେରିକା ଇରାନର 52ଟି ସହର ଉପରେ ଆକ୍ରମଣ କରିବ I

LEAVE A REPLY

Please enter your comment!
Please enter your name here