ଏଠି ବିଶ୍ୱାସର ସାଥୀ । ସେଠି ଷଡଯନ୍ତ୍ରରେ ହତ୍ୟା । ଏଠି ହାତୀ ମଣିଷର ସାଥୀ ହୋଇଛି । ସେଠି ଗର୍ଭୀଣି ହାତୀଟି ମୃତ୍ୟୁ ପୂର୍ବରୁ ପାଣିରେ ବୁଡି ନିଜ ଗର୍ଭସ୍ଥ ଶିଶୁ ସହ ଆଖି ବୁଜିଦେଲା । ଏ ଦୁଇଟି ଚିତ୍ର ଭିତରେ ଆକାଶ ପାତାଳ ଫରକ । କିଛିଦିନ ତଳେ କେରଳର ମଲ୍ଲାପୁରମରେ ବାଣ ଭର୍ତ୍ତି ସପୁରୀ ଖାଇବାକୁ ଦେଇ ହାତୀକୁ ହତ୍ୟା କରିବା ଘଟଣା ସାରା ବିଶ୍ୱରେ ଉଦବେଗ ସୃଷ୍ଟି କରିଥିବାବେଳେ ମାନବିକତା ଉପରେ ଲାଗିଥିଲା ବଡ ପ୍ରଶ୍ନ । ସେ ଘଟଣାଠାରୁ ଏ ଦୃଶ୍ୟ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ସମ୍ପତ୍ତି ପାଇଁ ମଣିଷ ମଣିଷକୁ ହତ୍ୟା କରିବାକୁ ପଛାଉ ନଥିବାବେଳେ ଏଠି କିନ୍ତୁ ଦୁଇଟି ହାତୀ ନାଁରେ ନିଜର ସମସ୍ତ ସମ୍ପତ୍ତି ଦାନ କରିଛନ୍ତି ଏ ବ୍ୟକ୍ତି । ବିହାର ପାଟଣାରୁ ଆସିଥିବା ଏହି ରୋଚକ ଖବର ପଶୁ ପ୍ରତି ନିଷ୍ଠୁରତା ପ୍ରଦର୍ଶନ କରୁଥିବା ମଣିଷ ପାଇଁ ଏକ ଭଲ ମେସେଜ୍ । ମୋତି ଆଉ ରାନୀକୁ ପାଟନାର ଅଫତର ଇମାମ ନାମକ ବ୍ୟକ୍ତି ନିଜ ସନ୍ତାନ ଭଳି ପାଳିଛନ୍ତି । ସେମାନଙ୍କୁ ଗାଧେଇଦେବା, ସେମାନଙ୍କର ଯତ୍ନ ନେବାରେ କେବେ ହେଳା କରିନାହାଁନ୍ତି । ହାତୀ-ମଣିଷର ଏ ନିଆରା ସମ୍ପର୍କ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏ ଦୃଶ୍ୟ ବୟାନ କରୁଛି, ମଣିଷଠାରୁ ପ୍ରାଣୀମାନେ ଅଧିକ ବିଶ୍ୱସ୍ତ । ଏଥିଲାଗି ସେ ହାତୀକୁ ସୁରକ୍ଷା ଲାଗି ମଧ୍ୟ ଦୀର୍ଘ ବର୍ଷରୁ ଦାବି କରିଆସୁଛନ୍ତି । ଏବେ ନିଜ ସମ୍ପତ୍ତି ହାତୀଙ୍କ ନାଁରେ କରିବା ପରେ ଚର୍ଚ୍ଚାକୁ ଆସିଛନ୍ତି ଅଫତର । ହାତୀକୁ ଖୁବ୍ ଭଲ ପାଉଥିବା ଅଫତର କହିଛନ୍ତି, ସେ ଚାହାଁନ୍ତିନି ତାଙ୍କ ମୃତ୍ୟୁ ପରେ ମୋତି ଆଉ ରାନୀ ଅନାଥ ହୋଇଯାଆନ୍ତୁ । କେହି ତାଙ୍କୁ ଅବହେଳା କରୁ । ଅଫତରଙ୍କ ଏଭଳି ପଦକ୍ଷେପ ହାତୀ ପ୍ରେମୀଙ୍କୁ ଖୁସୀ ଆଣିଦେଇଛି ।

LEAVE A REPLY

Please enter your comment!
Please enter your name here