ମୁଁ ଟ୍ରଲିରେ ବସିଥିଲି । ମୋ ସହ ୩ ଜଣ ଯାତ୍ରୀ ଥିଲେ । ଦିନ ୩ଟାରେ ହଠାତ୍ ଟ୍ରଲି ଅଟକି ଗଲା । ମୋତେ ଲାଗିଲା କି ଲାଇନ୍ କଟିଗଲା । ଅଧଘଣ୍ଟା ପରେ ଯେତେବେଳେ ଲାଇନ୍ ନଆସିଲା ଟ୍ରଲିରେ ଦିଆଯାଇଥିବା ଟୋଲ ଫ୍ରି ନମ୍ବରରେ ମୁଁ କଲ୍ କଲି । ସେପଟୁ ଉତ୍ତର ଆସିଲା । ହଁ ଟିକେ ସମସ୍ୟା ହୋଇଛି ଜଲଦି ଠିକ୍ ହୋଇଯିବ । ଯେତେବେଳେ ୨ ଘଣ୍ଟା ବିତିଗଲା ମୁଁ ଆଉ ଥରେ କଲ୍ କଲି , ସେତେବେଳେ ଜାଣିବାକୁ ପାଇଲି ଆମେ ସମସ୍ତେ ବିପଦରେ ଅଛୁ । ଆଉ ଜୀବନ ନେଇ ଘରକୁ ଫେରିପାରିବୁନି ।
ଦିନ ଯାଇ ରାତି ହେଲା । ରୋପଓ୍ବେ କାର୍ ଭିତରକୁ ଅନ୍ଧାର ମାଡି ଆସିଲା । ଆମେ ସମସ୍ତେ ଭୟଭୀତ ହୋଇ ରହିଥାଉ । ପାଖରେ ଖାଇବା କି ପାଣି ପିଇବା ସାମଗ୍ରୀ କିଛି ନଥାଏ । କେହି ବି ସାହାଯ୍ୟ କରିବାକୁ ଆସୁନଥିଲେ । କିଛି ବି ଭାବିପାରୁନଥାଏ, କଣ କରିବି । ସାରା ରାତି ଭଗବାନଙ୍କୁ ଡାକି ଚାଲିଥାଉ । । ସକାଳୁ ପୋଲିସ ଏବଂ ଆଇଏସଏଫର ଯବାନ ପହଁଞ୍ଚିଥିଲେ । ଆରମ୍ଭ କରିଥିଲେ ରେସ୍କ୍ୟୁ । ମୁଁ ଥିବା ଟ୍ରଲିରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ଯବାନମାନେ । ଏମିତି ଦେହ ଥରାଇଦେବା ଭଳି ଅନୁଭୂତି ବଖାଣିଛନ୍ତି ଝାଡଖଣ୍ଡ ରୋପୱେ ଟ୍ରଲିରେ ଫସିରହିଥିବା ସନ୍ଦୀପ ନାମକ ଯାତ୍ରୀ । କଥାରେ ଅଛି ରଖେ ହରି ତ ମାରେ କିଏ । ଏହାକୁ ଆଜି ପ୍ରମାଣ କରିଦେଇଛି ଝାଡଖଣ୍ଡ ଦେଓଘରରେ ଘଟିଥିବା ଏହି ଘଟଣା ।
ଏବେ ବି ଅନେକ ପର୍ଯ୍ୟଟକ ଜୀବନ ମୃତ୍ୟୁ ସହ ଲଢେଇ କରୁଛନ୍ତି । ସନ୍ଦୀପ କହିଛନ୍ତି, ଏବେ ବି ୧୧ଟି ଟ୍ରଲି ଫସି ରହିଛି । ଯେଉଁଥିରେ ୨୯ରୁ ଅଧିକ ଯାତ୍ରୀ ଫସିକି ରହିଛନ୍ତି ।୧୯ ଯାତ୍ରୀଙ୍କୁ ଉଦ୍ଧାର କରାଗଲାଣି ।