ବିଡିଓ କାନରେ ବାଜିଲା ଦତ୍ତାଙ୍କ ଭୁକା । ଦୁଇଦିନ ତଳେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଥିଲା । ଯେଉଁ ଭିଡିଓରେ ଜଣେ ବ୍ୟକ୍ତି ଅଭିନବ ପ୍ରତିବାଦ କରି ବିଡିଓଙ୍କୁ ନିଜ ସମସ୍ୟା ଜଣାଇ ଭୁକୁଥିଲେ । ଆଉ ଭାଇରାଲ ହେବାର ମାତ୍ର ୨୪ ଘଣ୍ଟା ପରେ ସମାଧାନ ହୋଇଗଲା ସମସ୍ୟା । ସୂଚନାଯୋଗ୍ୟ, ସାର୍ଟିଫିକେଟ୍ ଓ ଡକ୍ୟୁମେଣ୍ଟରେ ଭୁଲ୍ ବନାନ କିଛି ନୂଆ କଥା ନୁହେଁ । ଏମିତି ଅନେକ ଘଟଣା ପୂର୍ବରୁ ସାମ୍ନାକୁ ଆସିଛି, ଯେଉଁଠି ଅନେକ ବ୍ୟକ୍ତିଙ୍କ ନାଁ ଭୁଲ୍ ବନାନ କରାଯାଇ ଲେଖାଯାଇଥାଏ । ହେଲେ ଥରେ ନୁହେଁ କି ଦୁଇ ଥର ନୁହେଁ ଯଦି ତିନି ତିନି ଥର କୌଣସି ବ୍ୟକ୍ତିଙ୍କ ନାଁ ଭୁଲ୍ ଲେଖାଯାଏ, ତା’ହେଲେ ଯେକେହିବି ଏହାର ପ୍ରତିବାଦ କରିବେ । ଏମିତି କିଛି ଘଟଣା ପଶ୍ଚିମବଙ୍ଗର ଜଣେ ବ୍ୟକ୍ତିଙ୍କ ସହ ଘଟିଥିଲା । ‘ମିଷ୍ଟର ଦତ୍ତା (Mr. Dutta) ବଦଳରେ ସମ୍ପୃକ୍ତ ବ୍ୟଙ୍କିଙ୍କ ନାଁ ରାସନ୍ କାର୍ଡରେ ‘କୁତ୍ତା’ ଲେଖା ଯାଇଥିଲା । ଏହାପରେ ଡ୍ରାମା ଆରମ୍ଭ ହୋଇଯାଇଥିଲା ଓ ବ୍ୟକ୍ତି ଜଣକ ଅଭିନବ ପ୍ରତିବାଦ କରିଥିଲେ । ଏଥିପାଇଁ ସେ ଅଧିକାରୀମାନଙ୍କୁ ଦାୟୀ କରିବା ସହ କୁକୁର ଯେଭଳି ଭୁକନ୍ତି, ଠିକ୍ ସେହିପରି ଭୁକି ଭୁକି ଉକ୍ତ ବ୍ୟକ୍ତି ପ୍ରତିବାଦ କରିଥିଲେ।