ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିବା ଘଟଣାକୁ ଦେଶବ୍ୟାପୀ ବିରୋଧ କରିଛି ଆପ୍ । ଗତକାଲି ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା । ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ସ୍କାମର ତଦନ୍ତ କରୁଛି ସିବିଆଇ । ଆଜି ସିସୋଦିଆଙ୍କୁ କୋର୍ଟରେ ହାଜର କରାଯିବ ଏବଂ ସିବିଆଇ ରିମାଣ୍ଡରେ ନେବାକୁ ଆବେଦନ କରିବ ବୋଲି ଜଣାପଡିଛି ।
ସିବିଆଇ କହିଛି, ମଦ ଦୁର୍ନୀତି ତଦନ୍ତରେ ସିସୋଦିଆ ସିବିଆଇକୁ ସହଯୋଗ କରୁନାହାଁନ୍ତି । ସିସୋଦିଆଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି ସିବିଆଇ ପକ୍ଷରୁ କୁହାଯାଇଛି ।
ଅନ୍ୟପକ୍ଷରେ ପ୍ରତିଶୋଧ ପରାୟଣ ହୋଇ ସିସୋଦିଆଙ୍କୁ ଗିରଫ କରାଯାଇଛି ବୋଲି ଆମ୍ ଆଦମୀ ପାର୍ଟି କହିଛି । ସିସୋଦିଆଙ୍କୁ ଗିରଫ କରାଯିବା ପ୍ରତିବାଦରେ ଆପ ପକ୍ଷରୁ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।