କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ (SCB Medical college) ଓ ହସ୍ପିଟାଲର ଆଇସିୟୁ ବିଭାଗରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଆଇସିୟୁରେ ଚିକିତ୍ସାଧୀନ ଥିବା ୧୧ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ସେଠାରେ କାର୍ଯ୍ୟରତ ୧୧ ଜଣ କର୍ମଚାରୀ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ୫୦ ମିନିଟ୍ ସମୟରେ ଏସସିବିର ପ୍ରଥମ ମହଲାରେ ଥିବା ଆଇସିୟୁରେ ହଠାତ୍ ନିଆଁ ଲାଗିଥିଲା । ୩ଟି ଅଗ୍ନିଶମ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିଶମ ବାହିନୀ ୭ ଜଣ ରୋଗୀଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ଅନ୍ୟ ୩ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ଓ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।ମୃତକ ମାନେ ହେଲେ ମଧୁସୂଦନ ଦଳାଇ, କୃଷ୍ଣଚନ୍ଦ୍ର ବିଶ୍ୱାଳ, ରବୀନ୍ଦ୍ର ଦାସ, ଚେରୁ ପରିଡ଼ାରମେଶ ଚନ୍ଦ୍ର ପରିଡ଼ା, ଦଶରୁ ମୁଣ୍ଡା, ମହମ୍ମଦ ନ୍ୟୁମ୍, ଗୌରାଙ୍ଗ ଚନ୍ଦ୍ର ବାରିକ, ଶେଖ ଅବଦୁଲ ସତାର ଓ ମେନକା ରାଉତ ଏବଂ ଅନ୍ୟ ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ । ମୁଖ୍ୟମନ୍ତ୍ରୀ ଡାକ୍ତରଖାନାରେ ପହଁଚି ସ୍ଥିତି ପରଖିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଥିତି ପରଖି ସହାୟତା ରାଶି ଘୋଷଣା କରିଛନ୍ତି ଓ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୨୫ ଲକ୍ଷ ଲେଖାଏଁ ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସାଇଣ୍ଟିଫିଟ୍ ଟିମ୍ ପହଁଚି ତଦନ୍ତ ଆରମ୍ଭ ହୋଇଛି ।












