ରାଜ୍ୟସ୍ତରୀୟ ଉତ୍କଳ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ, ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ। ସବୁ କ୍ଷେତ୍ରରେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରି ଓଡ଼ିଆ ଜାତି ଏକ ସମୃଦ୍ଧ ରାଜ୍ୟ ଭାବରେ ଦେଶର ଏକ ଗ୍ରୋଥ୍ ଇଞ୍ଜିନ ହୋଇ ବିଶ୍ଵ ପଟଳରେ ଭାରତର ମର୍ଯ୍ୟାଦାକୁ ବୃଦ୍ଧି କରିବ। ଚଳିତ ବର୍ଷ ଓଡ଼ିଶା ଦିବସ ରାଜ୍ୟସ୍ତରୀୟ ଉତ୍ସବ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ସୁଆଣ୍ଡୋ ଗ୍ରାମରେ ଅନୁଷ୍ଠିତ ହୋଇଛି । ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ କହିଛନ୍ତି ଯେ ଏକ ସାଧାରଣ ସ୍ଥାନରେ ଜନ୍ମ ପଣ୍ଡିତ ଗୋପବନ୍ଧୁ ଦାସ ଇଶ୍ୱରତୁଲ୍ୟ ହୋଇପାରିଛନ୍ତି ଏବଂ ସମଗ୍ର ଭାରତବର୍ଷ ପାଇଁ ଏକ ଉଦାହରଣ । ଗୋପବନ୍ଧୁଙ୍କ ଦୁଃଖ, କଷ୍ଟ ଓ ତ୍ୟାଗ ଆଜି ଓଡ଼ିଆ ଜାତିର ଭାଗ୍ୟକୁ ବଦଳାଇ ଦେଇଛି । ଗୋପବନ୍ଧୁଙ୍କ ଅମ୍ଲାନ ସ୍ମୃତିକୁ ଆହୁରି ଦୀପ୍ତିମାନ କରିବା ପାଇଁ ତାଙ୍କ ପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ। ସତ୍ୟବାଦୀ ବନ ବିଦ୍ୟାଳୟ ଓ ସମଗ୍ର ଅଞ୍ଚଳର ବିକାଶ ପାଇଁ ୫୮୫ କୋଟି ଟଙ୍କାର ପ୍ରକଳ୍ପ, ବକୁଳବନର ବିକାଶ ପାଇଁ ୯୦ କୋଟି ଟଙ୍କା ଏବଂ ୪୯୫ କୋଟି ଟଙ୍କାରେ ସତ୍ୟବାଦୀ ଅଞ୍ଚଳର ପୁନର୍ବିକାଶ କରାଯିବ । ଏଠାରେ ହେରିଟେଜ କରିଡର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ସୁଆଣ୍ଡୋରେ ପହଞ୍ଚି ଗୋପବନ୍ଧୁ ଦାସଙ୍କ ଷଠିଘର ପରିଦର୍ଶନ ଓ ଉତ୍କଳମଣିଙ୍କ କୂଳ ଦେବତା ପ୍ରଭୁ ଶ୍ରୀ ରାଧା ବିନୋଦବିହାରୀଙ୍କୁ ଦର୍ଶନ କରିଥିଲେ। ଗୋପବନ୍ଧୁ ପାର୍କ ଠାରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି, ଗୋପବନ୍ଧୁ ସଂଗ୍ରହାଳୟ ପରିଦର୍ଶନ କରିଥିଲେ।













