ଇରାନ-ଆମେରିକା ମଧ୍ୟରେ ଶାନ୍ତି ଆଲୋଚନା ପ୍ରୟାସ ମଧ୍ୟରେ ଭାରତ ଓ ଆମେରିକା ଏପ୍ରିଲ ୨୦ରୁ ଏପ୍ରିଲ ୨୨ ମଧ୍ୟରେ ୱାଶିଂଟନରେ ବାଣିଜ୍ୟିକ ଚୁକ୍ତିନାମାକୁ ନେଇ ନୂଆ କରି ଆଲୋଚନା କରିବାକୁ ଯାଉଛନ୍ତି । ମୁଖ୍ୟ ବାର୍ତ୍ତାକାର ଦର୍ପଣ ଜୈନଙ୍କ ନେତୃତ୍ୱରେ ୧୨ ଜଣିଆ ଭାରତୀୟ ପ୍ରତିନିଧିମଣ୍ଡଳ ୨୦୨୫ ଅକ୍ଟୋବର ପରେ ପ୍ରଥମ ଥର ଆମେରିକା ସହିତ ଆଲୋଚନା କରିବେ । ଏହି ଆଲୋଚନାର ଉଦ୍ଦେଶ୍ୟ ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟିକ ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟକୁ ଚୂଡାନ୍ତ ରୂପ ଦେବା । ବାଣିଜ୍ୟ, ସୀମା ଶୁଳ୍କ ଏବଂ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନେ ଏଥିରେ ମଧ୍ୟ ସାମିଲ ହେବେ । ଆନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୈତିକ ଶକ୍ତି ଆଇନ ଅଧୀନରେ ଲାଗୁ ହୋଇଥିବା ଶୁଳ୍କକୁ ପ୍ରତ୍ୟାହାର କରିବା ପାଇଁ ଆମେରିକାର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଚୁକ୍ତିନାମାକୁ ନେଇ ଆଲୋଚନା ହେଉଛି। ୟୁଏସ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏହା ଆମେରିକାର ଶୁଳ୍କ ବ୍ୟବସ୍ଥାରେ ଏହା ଏକ ବଡ଼ ପରିବର୍ତ୍ତନ ଆଣିଛି। ୱାଶିଂଟନ ଫେବୃଆରୀ ୨୪ ରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ୧୫୦ ଦିନ ପାଇଁ ସମସ୍ତ ଦେଶ ଉପରେ ଅସ୍ଥାୟୀ ୧୦% ଶୁଳ୍କ ଲାଗୁ କରିଛି। ଏହାର ମୁଖ୍ୟ କାରଣ ହେଉଛି ସମସ୍ତ ବାଣିଜ୍ୟିକ ଅଂଶୀଦାରଙ୍କ ଉପରେ ଲାଗୁ ହୋଇଥିବା ୧୦% ଆମେରିକାର ଶୁଳ୍କ। ପୂର୍ବରୁ, ଭାରତୀୟ ଉତ୍ପାଦ ଉପରେ ଆମେରିକାର ଶୁଳ୍କକୁ ୫୦% ରୁ ୧୮% ହ୍ରାସ କରାଯିବାର ଯୋଜନା ଥିଲା। ଏଥିରେ ରୁଷରୁ ତେଲ କ୍ରୟ ଉପରେ ୨୫% ଦଣ୍ଡ ହଟାଇବା ଅନ୍ତର୍ଭୁକ୍ତ ଥିଲା। ଏହା ଏବେ ପ୍ରାୟତଃ ସମାପ୍ତ ହୋଇଛି। ଚୁକ୍ତିନାମା ଏ ପର୍ଯ୍ୟନ୍ତ ସ୍ୱାକ୍ଷରିତ ହୋଇନାହିଁ, ତେଣୁ ଭାରତ ପାଖରେ ପୁନର୍ବିଚାର କରିବାର ସମୟ ରହିିଛି। ଅଧିକାରୀମାନେ କହିଛନ୍ତି ଯେ ନୂତନ ବିଶ୍ୱ ଶୁଳ୍କ ଢାଞ୍ଚା ଅନୁଯାୟୀ ଭାରତ କ୍ଷତିଗ୍ରସ୍ତ ନହେବା ପାଇଁ ଚୁକ୍ତିନାମାକୁ ପୁନଃ ସମୀକ୍ଷା କରାଯିବ । ଫେବୃଆରୀ ଚୁକ୍ତିନାମା ଅନୁଯାୟୀ, ଭାରତ ଆମେରିକାକୁ ଅନେକ ରିହାତି ପ୍ରଦାନ କରିଥିଲା। ଏଥିରେ ଆମେରିକାର ଶିଳ୍ପ ସାମଗ୍ରୀ ଉପରେ ଶୁଳ୍କ ହଟାଇବା କିମ୍ବା ହ୍ରାସ କରିବା, ବିଭିନ୍ନ କୃଷି ଉତ୍ପାଦ (ବାଦାମ, ଫଳ, ସୋୟାବିନ୍ ତେଲ, ଡିଜି, ମଦ ଏବଂ ସ୍ପିରିଟ୍) ଉପରେ ଶୁଳ୍କ ହ୍ରାସ କରିବା ଏବଂ ଅନେକ ଅଣ-ଶୁଳ୍କ ପ୍ରତିବନ୍ଧକ ଦୂର କରିବା ଅନ୍ତର୍ଭୁକ୍ତ ଥିଲା। ଏଥିମଧ୍ୟରୁ ଅନେକକୁ ଏବେ ପୁନଃବିଚାର କରାଯାଇପାରେ।













