ନୂଆଦିଲ୍ଲୀ: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀ ଅବସରରେ ଭାରତ ଓ ଆମେରିକା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିଲା। ଏହି ହାଇପ୍ରୋଫାଇଲ୍ ବୈଠକରେ ରାଷ୍ଟ୍ରପତି ଟ୍ରମ୍ପ ଭାରତକୁ ନେଇ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି l ଟ୍ରମ୍ପ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଯଦି ଭାରତ ଉପରେ କୌଣସି ବାହ୍ୟ ଆକ୍ରମଣ ହୁଏ, ତେବେ ଆମେରିକା ସବୁବେଳେ ଭାରତ ପଛରେ ଢାଲ ହୋଇ ଠିଆ ହେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ ଭାରତ ଓ ଆମେରିକାର ବନ୍ଧୁତାକୁ ସର୍ବୋପରି ବୋଲି ଦର୍ଶାଇଛନ୍ତି। ଟ୍ରମ୍ପ କହିଛନ୍ତି, ଯଦିଓ ଆମ ମଧ୍ୟରେ କୌଣସି ଲିଖିତ ଚୁକ୍ତିନାମା ନାହିଁ, ତଥାପି ଆମେରିକା ସବୁ ସମୟରେ ଭାରତ ସହିତ ଦୃଢ଼ତାର ସହ ଠିଆ ହେବ। କିନ୍ତୁ, ଯଦି ଭାରତରେ ମୋଦୀଙ୍କ ବଦଳରେ ଅନ୍ୟ କୌଣସି ନେତା ପ୍ରଧାନମନ୍ତ୍ରୀ ରୁହନ୍ତି, ତେବେ ମୁଁ ଏଭଳି ଗ୍ୟାରେଣ୍ଟି ଦେଇପାରିବି ନାହିଁ।
ଏହି ଦ୍ୱିପାକ୍ଷିକ ଆଲୋଚନା ସମୟରେ ମୋଦି ସମୁଦ୍ରରେ କାର୍ଯ୍ୟରତ ଲକ୍ଷାଧିକ ଭାରତୀୟ ନାବିକଙ୍କ ସୁରକ୍ଷା ଭାରତ ପାଇଁ ସର୍ବୋଚ୍ଚ ପ୍ରାଥମିକତା ବୋଲି ଟ୍ରମ୍ପଙ୍କୁ ଜଣାଇଛନ୍ତି। ମଧ୍ୟପ୍ରାଚ୍ୟର ବିଭିନ୍ନ ସମୁଦ୍ରରେ ଭାରତୀୟ କ୍ରୁ ସଦସ୍ୟ ରହିଥିବା ଜାହାଜ ଉପରେ ହେଉଥିବା ଆକ୍ରମଣକୁ ନେଇ ମଧ୍ୟ ମୋଦି ଚିନ୍ତା ପ୍ରକଟ କରିଛନ୍ତି। ମୋଦି କହିଛନ୍ତି, “ଆମେ ସବୁବେଳେ କହିଆସୁଛୁ ଯେ ସମୁଦ୍ର ପଥରେ ଅବଧା ନୌଚଳାଚଳ ସୁନିଶ୍ଚିତ ହେବା ଦରକାର। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଚାଲିଥିବା ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ଲକ୍ଷାଧିକ ଭାରତୀୟ ନାବିକ କାର୍ଯ୍ୟରତ ଅଛନ୍ତି। ସେମାନଙ୍କ ସୁରକ୍ଷା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ଇରାନ ସହ ଆମେରିକା କରିବାକୁ ଯାଉଥିବା ଶାନ୍ତି ଚୁକ୍ତିରେ ନାବିକମାନଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ମୋର ଆଶା।” ଏହାର ଉତ୍ତରରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଭାରତୀୟ ନାବିକମାନଙ୍କ ସୁରକ୍ଷା ପ୍ରସଙ୍ଗରେ ଆମେରିକା ନିଶ୍ଚିତ ଭାବେ ଭାରତ ସହ ମିଶି କାମ କରିବ।

LEAVE A REPLY

Please enter your comment!
Please enter your name here