କଟକ: ପୁରୀଘାଟ ଗଡ଼ା ନିକଟସ୍ଥ କାଠଯୋଡ଼ି ନଦୀ ପଠାରୁ ଜଣେ ଅଜ୍ଞାତ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଠାବ ହୋଇଛି । ମହିଳାଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୁଣ୍ଡ କାଟି ଶବକୁ ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୁଣ୍ଡବିହୀନ ମୃତଦେହ ହୋଇଥିବାରୁ ମୃତକଙ୍କୁ ଚିହ୍ନଟ କରିବା ପୋଲିସ ପାଇଁ ଏକ ବଡ଼ସମସ୍ୟା ସୃଷ୍ଟି କରିଛି । ସୂଚନା ଅନୁଯାୟୀ , ଗୁରୁବାର ଦିନ ସ୍ଥାନୀୟ ଲୋକେ କାଠଯୋଡ଼ି ପଠାରେ ଏକ ମୁଣ୍ଡବିହୀନ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ । ତାପରେ ସ୍ଥାନୀୟ ବାସିନ୍ଦା ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ଘଟଣାସ୍ଥଳରେ ପୁରୀଘାଟ ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଖୋଳତାଡ଼ ଆରମ୍ଭ କରିଛି । ଅନ୍ୟ କେଉଁଠି ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ମୃତଦେହକୁ ନଦୀ ପଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ପୋଲିସ ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରି ଘଟଣାସ୍ଥଳରୁ ପ୍ରମାଣ ଯୋଗାଡ଼ କରିବାକୁ ପ୍ରୟାସ କରୁଛି ।











