ଭୁବନେଶ୍ୱର: ଜାପାନରେ ଅନୁଷ୍ଠିତ ହେବାକୁ ଥିବା ୨୦ତମ ଏସିଆନ ଗେମ୍ସ-୨୦୨୬ ପାଇଁ ଭାରତୀୟ ମହିଳା ହକି ଦଳ ଘୋଷଣା ହୋଇଛି। ଏହା ଆସନ୍ତା ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ | ହକି ଇଣ୍ଡିଆ ପକ୍ଷରୁ ଶୁକ୍ରବାର ଘୋଷିତ ଏହି ୨୦ ଜଣିଆ ଦଳର ଅଧିନାୟକ ଦାୟିତ୍ୱ ପୁଣି ଥରେ ଷ୍ଟାର୍ ଖେଳାଳି ସଲିମା ଟେଟେଙ୍କୁ ପ୍ରଦାନ କରାଯାଇଛି। ସଲିମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଗତ ମାସରେ ନ୍ୟୁଜିଲାଣ୍ଡରେ ଏଫଆଇଏଚ ନେସନ୍ସ କପ୍ ଟାଇଟଲ୍ ଜିତି ଇତିହାସ ରଚିଥିଲା। ଏହି ଶକ୍ତିଶାଳୀ ଭାରତୀୟ ଦଳରେ ଓଡ଼ିଶାର ଦୁଇ ପ୍ରତିଭାବାନ ମହିଳା ଖେଳାଳି ଜ୍ୟୋତି ଛତ୍ରୀ ଓ ସୁନେଲିତା ଟୋପୋ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ପାନପୋଷ ହଷ୍ଟେଲରୁ କ୍ୟାରିୟର ଆରମ୍ଭ କରିଥିବା ଜ୍ୟୋତି ଜଣେ ଅତି ଦକ୍ଷ ଡିଫେଣ୍ଡର। ସେ ଭୁବନେଶ୍ୱରସ୍ଥିତ ‘ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟର’ରୁ ଉଚ୍ଚତର ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ୨୦୨୩ ଜୁନିୟର ଏସିଆ କପ୍‌ରେ ଦମଦାର ପ୍ରଦର୍ଶନ କରି ସେ ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ଓଡ଼ିଶାର ଏହି ଉଦୀୟମାନ ପ୍ରତିଭା ନିଜର ଚମତ୍କାର ଖେଳ ଶୈଳୀ ବଳରେ ଏସିଆନ ଗେମ୍ସ ଦଳରେ ନିଜ ସ୍ଥାନ ପକ୍କା କରିଛନ୍ତି।

LEAVE A REPLY

Please enter your comment!
Please enter your name here