ନିର୍ବାଚନୀ ହାଓ୍ବା ବହିବା ଆରମ୍ଭ କଲାବେଳକୁ କଂଗ୍ରେସରେ ପୁରୁଣା ରୋଗ ବାହାରିଲାଣି. ମହାନଦୀ ଆନ୍ଦୋଳନର ନେତା ସୁଦର୍ଶନ ଦାସଙ୍କୁ କଂଗ୍ରେସ ରେଡ୍ କାର୍ପେଟ ପକାଇ ଦଳ ଭିତରକୁ ସ୍ବାଗତ କରିଥିଲା. ଏଥିପାଇଁ ନୂଆଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ବାବୁ ସୁଦର୍ଶନ ଦଳରେ ସାମିଲ ହେଲେ. ବାଲେଶ୍ବର ଜିଲ୍ଲାର ଜଳେଶ୍ବର ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢିବା ପାଇଁ ସୁଦର୍ଶନଙ୍କୁ ସବୁଜ ସଙ୍କେତ ବି ମିଳିଲା. ଜଳେଶ୍ବରର କଂଗ୍ରେସ ମୁଣ୍ଡିଆଳ ଜୟନାରାୟଣ ଦଳ ଛାଡି ବିଜେଡିରେ ସାମିଲ ହେବା ପରେ ସୁଦର୍ଶନଙ୍କ ଆଶା ବି ଉଜ୍ଜ୍ବଳ ଥିଲା. କିନ୍ତୁ ପୁଣି ଷଣ୍ଢ ପୁରେଇବା ଆରମ୍ଭ କଲେଣି ବାବୁ ଶ୍ରୀକାନ୍ତ. ତାଙ୍କ ବିନା ଚାହିଁବାରେ ସୁଦର୍ଶନ ଜଳେଶ୍ବରରୁ କଂଗ୍ରେସ ପ୍ରାର୍ଥୀ ହେବା ପ୍ରସ୍ତାବକୁ ସେ କୁଆଡେ ହଜମ କରିପାରୁନାହାଁନ୍ତି. ଗତ 6 ତାରିଖରେ ଜଳେଶ୍ବରରେ ଆୟୋଜିତ ସମାବେଶରେ ସୁଦର୍ଶନଙ୍କୁ ସାମିଲ ନ କରିବା ପାଇଁ ଚକ୍ରାନ୍ତ ହେଲା. ଦଳୀୟ ନେତା ଓ କର୍ମୀ କୁଆଡେ ଧମକ ଦେଲେ, ସୁଦର୍ଶନ ଆସିଲେ ତାଙ୍କୁ ବିରୋଧ କରାଯିବ. ବାସ୍, କଂଗ୍ରେସିଆଙ୍କ ଚକ୍ରାନ୍ତରେ ଫସିଗଲେ ସୁଦର୍ଶନ. ସଭାପତି କୁଆଡେ ସୁଦର୍ଶନଙ୍କୁ ବି ବାରଣ କଲେ. ମହାନଦୀ ଆନ୍ଦୋଳନର ଛାମୁଆ ନେତାଙ୍କୁ ନେଇ କଂଗ୍ରେସ ଫାଇଦା ଉଠାଇବା ତ ଦୂରର କଥା, କେମିତି ଗୋଚ୍ଛି କଟାହେବ, ସେ ଚକ୍ରାନ୍ତ ଚାଲିଛି. ଦୁଇ ଦଶନ୍ଧି ଧରି କ୍ଷମତାରୁ ବାହାରେ ରହିବା ପରେ ବି କଂଗ୍ରେସିଆ ବୁଦ୍ଧି ଶିଖିଲେନି. କେଜାଣି କେବେ ବୁଦ୍ଧି ଉଦେଇବ କଂଗ୍ରେସିଆଙ୍କର ?