ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନାର ପୂର୍ବତନ ଆଇଆଇସି ସୁଜିତ କୁମାର ଦାସଙ୍କ ପାଇଁ ଅଡୁଆ ବଢ଼ିଛି । ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଉଠାଇବା ପରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ କୋର୍ଟ ସୁଜିତଙ୍କ ବିରୋଧରେ ଗିରଫ ବିହୀନ ଜାମିନ ପରୱାନା (NBW) ଜାରି କରିଛନ୍ତି । ସୁଜିତ ଗିରଫଦାରୀରୁ ବର୍ତ୍ତିବା ପାଇଁ ଫେରାର ଥିବାବେଳେ ତାଙ୍କୁ ଗିରଫ କରିବାକୁ ଆଜି କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ହେଲେ ସୁଜିତଙ୍କୁ ନ ପାଇ ପୋଲିସ ଟିମ୍ ଫେରିଆସିଛି । ସୂଚନା ଥାଉ ଯେ, ଯୌନ ନିର୍ଯାତନା ଅଭିଯୋଗରେ ସୁଜିତଙ୍କ ନାମରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ମାମଲା ରୁଜୁ କରି ତଦନ୍ତ କରୁଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସୁଜିତ କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ନିକଟରେ କିଛିଦିନ ତଳେ ହାଜର ହୋଇଥିଲେ । ତେବେ ପୂର୍ବରୁ ସୁଜିତଙ୍କ ଗିରଫଦାରୀ ଉପରେ ହାଇକୋର୍ଟ ରହିତାଦେଶ ଲଗାଇଥିଲେ । ତେବେ ଏହି ମାମଲାରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଟିମ୍ ତଥ୍ୟ ପ୍ରମାଣ ସମ୍ବଳିତ ଚାର୍ଜଶିଟ ଦାଖଲ କରିଥିଲା । ଏହାପରେ ହାଇକୋର୍ଟ ରହିତାଦେଶ ଉଠାଇଦେବାରୁ ସୁଜିତଙ୍କ ପାଇଁ ଅଡୁଆ ବଢ଼ିଛି ।










