କଟକ: କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ ଗଣେଶ ମୂର୍ତ୍ତି ଭସାଣି ଉତ୍ସବ ସମୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବିଳମ୍ବିତ ରାତିରେ ମୂର୍ତ୍ତି ଭସାଣି ବେଳେ ଏକ ଗୋଷ୍ଠୀର ଯୁବକମାନେ ଆକ୍ରମଣ କରିବାରୁ ମାହାଙ୍ଗା ଥାନା ଅଧିକାରୀ (ଆଇଆଇସି) ଯୁଗଳ କିଶୋର ଦାସ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମାହାଙ୍ଗା ଥାନା ଅଧୀନସ୍ଥ ବରଡ଼ିଆ ଗ୍ରାମରେ ଗଣେଶ ପୂଜା କମିଟି ଦ୍ୱାରା ଆୟୋଜିତ ଭସାଣି ଶୋଭାଯାତ୍ରା ପ୍ରଶାସନର ଅନୁମତି ସମୟ ସୀମା ପାର କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ଖବର ପାଇ ଆଇଆଇସି ଯୁଗଳ କିଶୋର ଦାସ ଘଟଣାସ୍ଥଳରେ ପହଞ୍ଚି ଭସାଣି କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ କେନ୍ଦ୍ର କରି ପୂଜା କମିଟି ସଦସ୍ୟ ଏବଂ ପୋଲିସ ମଧ୍ୟରେ ବଚସା ଓ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ କିଛି ଉତ୍ତ୍ୟକ୍ତ ଯୁବକ ପୋଲିସ ଉପରକୁ ଇଟା ଓ ପଥର ମାଡ଼ କରିଥିଲେ। ଏହି ଆକ୍ରମଣରେ ଆଇଆଇସି ଦାସଙ୍କ ମୁଣ୍ଡରେ ଏକ ଇଟା ବାଜିବାରୁ ତାଙ୍କ ମୁଣ୍ଡ ଫାଟିଯାଇଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ଆକ୍ରମଣକାରୀମାନେ ଉତକ୍ଷିପ୍ତ ହୋଇ ପୋଲିସ ଭ୍ୟାନକୁ ମଧ୍ୟ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଆଇଆଇସି ଆହତ ହେବା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ମାହାଙ୍ଗା ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ଏବଂ ଆକ୍ରମଣରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରହିଛି।











