ଭୁବନେଶ୍ୱର: ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଓ ଗିରଫଦାରୀ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଓ ଏମଏମଡିଆର ସଂଶୋଧିତ ଆଇନର ପ୍ରତ୍ୟାହାର ଦାବିରେ ଇଣ୍ଡି ମେଣ୍ଟ ପକ୍ଷରୁ ଆଜି ସାରା ଓଡ଼ିଶାରେ ବନ୍ଦ ପାଳନ କରାଯାଇଛି। ଏହାର ପ୍ରଭାବ ପୁରୀ ଜିଲ୍ଲାରେ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ପୁରୀ ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ, କଚେରୀ ଛକ, ଅଠରନଳା ସମେତ ବିଭିନ୍ନ ପ୍ରମୁଖ ରାସ୍ତାରେ ଆନ୍ଦୋଳନ କରିଛନ୍ତି। ଯାହା ଫଳରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ବନ୍ଦ ପ୍ରଭାବରେ ଆଜି ସକାଳୁ ପୁରୀ ବସ୍ ଚଳାଚଳ ସକାଳୁ ବନ୍ଦ ରହିଛି। ଏଣୁ ପୁରୀରୁ ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବନ୍ଦ ଡାକରାର ପ୍ରଭାବ ସମ୍ବଲପୁରରେ ଦେଖିବାକୁ ମିଳିଛି । ବନ୍ଦ ପ୍ରଭାବରେ ଆଜି ସକାଳ ୬ଟାରୁ ସମ୍ବଲପୁର ସହରର ଦୋକାନ, ବଜାର, ସ୍କୁଲ, କଲେଜ, ବ୍ୟାବସାୟିକ ପ୍ରତିଷ୍ଠାନ ପ୍ରମୁଖ ବନ୍ଦ ଥିବା ଦେଖିବାକୁ ମିଳିଛି । ସମ୍ବଲପୁର ଜିଲ୍ଲା କଂଗ୍ରେସ କର୍ମୀମାନେ ଜିଲ୍ଲା ସଭାପତି ଅମିତ ଗୁରୁଙ୍କ ନେତୃତ୍ୱରେ ରେଳ ଷ୍ଟେସନ ଆଗରେ ପ୍ରତିବାଦ କରିଥିଲେ । ରାସ୍ତା ଅବରୋଧ ଓ ପିକେଟିଂ ଯୋଗୁଁ ବସ୍‌, ଟ୍ରକ୍‌, ଅଟୋ ସମେତ ଅନେକ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୋଲିସ ମୁତୟନ ସହ ଜରୁରୀ ସେବା ଯେପରି ପ୍ରଭାବିତ ନ ହୁଏ, ସେଥିପାଇଁ ପ୍ରଶାସନ ନଜର ରଖିଛି ।

ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି । ବନ୍ଦ ଯୋଗୁଁ ଦକ୍ଷିଣ ଓଡ଼ିଶାର ରାୟଗଡ଼ା, ବ୍ରହ୍ମପୁର, କନ୍ଧମାଳ ଆଦି ଜିଲ୍ଲାରେ ସାଧାରଣ ଜନତାଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି । ରାୟଗଡ଼ା ଜିଲ୍ଲାର ୧୧ଟି ବ୍ଲକ୍‌ରେ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଓ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଏଥିରେ ଜରୁରୀକାଳୀନସେବାକୁ ବାଦ ଦିଆଯାଇଛି । ହେଲେ ଅନ୍ୟାନ୍ୟ ସାଧାରଣ ସେବା ଓ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଛି। ୧୨ ଘଣ୍ଟିଆ ଓଡିଶା ବନ୍ଦର ପ୍ରଭାବ ଉତ୍ତର ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ଯାନାବାହାନ ଚଳାଚଳ ବାଧାପ୍ରାପ୍ତ ହେବା ସହ ବନ୍ଦ ରହିଛି ସରକାରୀ ବେସରକାରୀ କାର୍ଯ୍ୟାଳୟ । ଢେଙ୍କାନାଳରେ ପୋଲିସ ହସ୍ତକ୍ଷେପ ପରେ ସକାଳ ୧୦ଟା ପରେ କାଁଭାଁ ଗାଡି ଚଳାଚଳ କରିଥିଲା । ସେପଟେ ବନ୍ଦ ପାଳନ ଯୋଗୁଁ ରାସ୍ତାରେ ଅଟକି ରହିଥିଲା ଶହଶହ ସଂଖ୍ୟାରେ ଯାନବାହାନ । ମୟୂରଭଞ୍ଜ ଜିଲ୍ଲାର ଚାରୋଟି ଉପଖଣ୍ଡ ଯଥା: ରାଇରଙ୍ଗପୁର, କରଞ୍ଜିଆ, ଉଦଳା ଓ ବାରିପଦାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କଂଗ୍ରେସ ଦଳର ବରିଷ୍ଠ ନେତା ଓ କର୍ମୀ ମାନେ ରାଜରାସ୍ତାକୁ ଓହ୍ଲାଇଥିଲେ । ଦଳର କର୍ମୀଙ୍କ ପିକେଟିଂ ଯୋଗୁଁ ବିଭିନ୍ନ ସ୍ଥାନରେ ଚାରି ଚକିଆ ଯାନବାହନ, ବସ, ଟ୍ରକ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦୋକାନ, ବଜାର, ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଛି ।

LEAVE A REPLY

Please enter your comment!
Please enter your name here